ଚନ୍ଦମୁଖୀକୁ ସାହାଯ୍ୟର ହାତ ବଢାଇଲେ ସୋନୁ ସୁଦ

ପାଟଣା: ସବୁବେଳେ ସେବା କରିବାକୁ ନେଇ ପ୍ରଶଂସାର ପାତ୍ର ସାଜିଥାନ୍ତି ସୋନୁ ସୁଦ । ଅସହାୟଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସିଥାନ୍ତି ସେ । ପୁଣି ଥରେ ସେବା କାର୍ଯ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଲୋକପ୍ରିୟ ବଲିଉଡ ଅଭିନେତା । ଏବେ ପୁଣି ଏକ କୁନି ଝିଅକୁ ସାହାଯ୍ୟର ସାହାରା ସାଜିଛନ୍ତି ସୋନୁ । ସେ ବିହାରର ଏକ ଛୋଟ ଗାଁ ନବାଦାରେ ଚାରି ହାତ ଏବଂ ଚାରି ଗୋଡ଼ ସହ ଜନ୍ମିତ ଚନ୍ଦ୍ରମୁଖୀକୁ ସାହାଯ୍ୟର ହାତ ବଢାଇଛନ୍ତି । ତାର ଅସ୍ତ୍ରୋପଚାର କରାଇବା ସହ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିଛନ୍ତି ସୋନୁ ।ସେ ଇଣ୍ଟରନେଟରେ କୁନି ଝିଅର ଭିଡିଓ ଦେଖି ତାଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସୁରଟର ଏକ ଡାକ୍ତରଖାନାରେ ସଫଳତାର ସହ ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର କରାଯାଇଥିଲା । ଦୀର୍ଘ ୭ଘଣ୍ଟା ଧରି ହୋଇଥିଲା ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର ।

ନିଜ ଇଣ୍ଟାଗ୍ରାମ୍ ଆକାଉଣ୍ଟରେ ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର ପୂର୍ବ ଓ ପରର ଫଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି, ମୋର ଓ ଚନ୍ଦ୍ରମୁଖୀର ଯାତ୍ରା  ସଫଳ ରହିଲା ।ବର୍ତ୍ତମାନ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ଘରକୁ ଫେରିବାକୁ ପ୍ରସ୍ତୁତ ।ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ ଓ ଅନ୍ୟାନ୍ୟ କଳାକାରଙ୍କ ପ୍ରଶଂସାର ସୁଅ ଛୁଟିଛି ।