ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀଙ୍କ ମା’
ଅହମ୍ମଦାବାଦ: ବିଗିଡ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥା । ଅହମ୍ମଦାବାଦ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କର ଏବେ ଚିକିତ୍ସା ଚାଲିଛି । ହସ୍ପିଟାଲ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ହୀରାବେନଙ୍କ ହାଲଚାଲ ଜାଣିବା ପାଇଁ ୟୁଏନ ମେହତା ହସ୍ପିଟାଲରେ ପହଞ୍ଚିଛନ୍ତି ।
କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମାଆଙ୍କୁ ଭେଟିବା ପାଇଁ ଅପରାହ୍ନରେ ଅହମ୍ମଦାବାଦରେ ପହଞ୍ଚିବେ । ଏହା ପୂର୍ବରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ତାଙ୍କ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ ହସ୍ପିଟାଲ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହୀରାବେନଙ୍କୁ ୟୁଏନ ମେହତା ହସ୍ପିଟାଲର କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ଅହମ୍ମଦାବାଦରେ ଭର୍ତ୍ତି କରାଯାଇଛି ।
ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି । ପ୍ରକାଶଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ମଙ୍ଗଳବାର ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ଅହମ୍ମଦାବାଦର ୟୁଏନ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କଫରେ ପୀଡିତ ଅଛନ୍ତି ହୀରାବେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରା ବା ଜୁନରେ ହିଁ ୧୦୦ ବର୍ଷରେ ପାଦ ଥାପିଥିଲେ ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ କାର୍ ଦୁର୍ଘଟଣାରେ ଆହତ ହୋଇଥିଲେ । ଗାଡ଼ିରେ ପରିବାର ସହ ଯିବା ସମୟରେ ମୈସୁର ପାଖରେ କାର୍ ଦୁର୍ଘଟଣାଗସ୍ତ ହୋଇଥିଲା । କାରରେ ତାଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ଥିଲେ । ସମସ୍ତେ ସାମାନ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ।