ଜବର ଦଖଲକୁ ନେଇ ତହସିଲଦାରଙ୍କ ଅଜବ ଉତ୍ତର, ଅଭିଯୋଗ କଲେ କହୁଛନ୍ତି ଓପିଏଲ୍‌ ଆକ୍ଟ ପଢ଼

ନିଆଳି: ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ ସରକାର କରିଛନ୍ତି କଠୋର ନିୟମ । ଏପରି ଘଟଣା ଦୃଷ୍ଟିକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି । ହେଲେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ସରକାରଙ୍କର ଏଭଳି ନିୟମ ମାନିବାକୁ ନାରାଜ । ଏଭଳି କିଛି ନିୟମ ରହିଛି ବୋଲି ସେ ଜାଣନ୍ତି ନାହିଁ ବୋଧ ହୁଏ । କାରଣ ଲୋକେ ଅଭିଯୋଗ ଆଣିଲେ ଅଭିଯୋଗ କରିବାକୁ ସେ କିଏ ବୋଲି ଯୁକ୍ତି ବାଢ଼ନ୍ତି । ଯଦି ଏ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନ କରେ ତେବେ ଓପିଏଲ୍ ଆକ୍ଟ ପଢ଼ିବାକୁ ପରାମର୍ଶ ଦିଅନ୍ତି ତହସିଲଦାର ମହାଶୟ ।

ଯେଉଁଥିପାଇଁ ପ୍ରଶାସକଙ୍କ ଭୁଲ୍ ନିଷ୍ପତ୍ତି ସରକାରୀ ଯୋଜନାକୁ ବାଟମଣା କରୁଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା କଣ୍ଟାପଡ଼ା ତହସିଲରୁ । ଜବରଦଖଲ ଉଚ୍ଛେଦ ପାଇଁ ସାଧାରଣ ଲୋକ ଅଭିଯୋଗ କଲା ପରେ ମଧ୍ୟ ପ୍ରଶାସନ ନିର୍ବିକାର । ବରଂ ଉତ୍ତରରେ କହୁଛନ୍ତି ଅଭିଯୋଗ କରିବାକୁ ସେ କିଏ ? ଏପରି କଥା ପୁଣି କହୁଛନ୍ତି ଖୋଦ୍ ତହସିଲଦାର ମହାଶୟ ।

ସୂଚନା ଅନୁଯାୟୀ, କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଖାଲ ଗାଁ ଅଞ୍ଚଳରେ ଗୋଚର ଜମିକୁ ଦଖଲ କରିଛନ୍ତି ବଡ଼ବଡ଼ିଆ । ଗୁଣ୍ଠେ ନୁହେଁ କି ଦୁଇ ଗୁଣ୍ଠ ନୁହେଁ । ପ୍ରାୟ ତିରିଶ ଏକରରୁ ଉର୍ଦ୍ଧ୍ୱ ଗୋଚର ଜମି ଏବେ ଜବର ଦଖଲରେ ରହିଛି । ଏ ସମ୍ପର୍କରେ ଉକ୍ତ ଗାଁର ମହିଳା ଜିଲ୍ଲାପାଳଙ୍କ ଠୁ ତହସିଲ ପର୍ଯ୍ୟନ୍ତ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କଲାପରେ ବି ସମସ୍ତେ ନିଦାବିଷ୍ଣୁ ପାଲଟିଛନ୍ତି ।

ଅନ୍ୟପଟେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନକଲେ ଓପିଏଲ୍ ଆକ୍ଟ ପଢ଼ିବା ପାଇଁ କହୁଛନ୍ତି ତହସିଲଦାର ମହାଶୟ । ଗୋଟିଏ ପଟେ ତହସିଲଦାରଙ୍କ ଏପରି ଉତ୍ତର ପଛରେ କି କାରଣ ରହିଛି ତାହା ପରିସ୍କାର ଜଣା ପଡୁନଥିଲେ ମଧ୍ୟ, ଏପରି ଉତ୍ତର କେତେ ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠୁଛି।

Leave a Reply