ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୨୪ ଯାଏଁ ଲାଗି ରହିବ

ଭୁବନେଶ୍ୱର: ପୁଣି ଓଡ଼ିଶାରେ ଛେଚିବ ବର୍ଷା । ଲଘୁଚାପର ରୂପ ନେଲା ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହା ଏବେ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାର ଆଖପାଖରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାସହ ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ ଏବଂ ଝାରସୁଗୁଡାରେ ପ୍ରବଳ ବର୍ଷା ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହି ବର୍ଷା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ସେହିପରି ୨୫ ତାରିଖରେ ପୂର୍ବ କେନ୍ଦ୍ରୀୟ ସହ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୬ରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ । ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଅଧିକ ପଡିବ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯଦି ୨୫ ତାରିଖ ଲଘୁଚାପ ଘନୀଭୁତ ହୁଏ ତେବେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏତେ ପରିମାଣର ବର୍ଷା ପରେ ବି ରାଜ୍ୟରେ ଚଳିତ ସିଜିନ୍‌ରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

Leave a Reply