ଅବିଶ୍ରାନ୍ତ ବର୍ଷାରେ ବେହାଲ ତାମିଲନାଡୁର ନାଗପଟ୍ଟିନମ ଓ ତିରୁଭାରୁର୍ ଜିଲ୍ଲା

ଚେନ୍ନାଇ: ଶୀତର ପ୍ରକୋପ କମିନଥିବାବେଳେ ଅବିଶ୍ରାନ୍ତ ବର୍ଷା । ବର୍ଷାରେ ବେହାଲ ତାମିଲନାଡ଼ୁ ଅନ୍ତର୍ଗତ ନାଗପଟ୍ଟିନମ୍ । ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ହେବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ଅନ୍ୟପଟେ ତିରୁଭାରୁର ଜିଲ୍ଲାରେ ବି ବର୍ଷାର ପ୍ରକୋପ ଦେଖାଦେଇଛି । ବର୍ଷା କାରଣରୁ ନାଗପଟ୍ଟିନମ୍ ଓ ତିରୁଭାରୁରରେ ଛୁଟି ଘୋଷଣା କରାଯାଇଛି ।

ତାମିଲନାଡ଼ୁରୁ କାରାଇକାଲଠାରୁ ୪୦୦ କିଲୋମିଟର ଦୂର ତଥା ଶ୍ରୀଲଙ୍କା ଉପକୂଳରୁ ୮୦ କିଲୋମିଟର ଦୂରରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ କ୍ରମାଗତ ବର୍ଷା ଲାଗି ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ତାମିଲନାଡ଼ୁ, ପୁଡୁଚେରୀ ଅନ୍ୟାନ୍ୟ ସ୍ଥାନରେ ବର୍ଷା ପ୍ରକୋପ ଦେଖାଦେଇଛି । ଆଜି ଓ ଆସନ୍ତାକାଲି ବର୍ଷାର ପ୍ରକୋପ ବଢ଼ିବା ଆଶଙ୍କା ରହିଛି । ସମୁଦ୍ର ମଧ୍ୟକୁ ନ ଯିବା ଲାଗି ଧୀବରଙ୍କୁ କରାଯାଇଛି ସତର୍କ ।