ଆସାମରେ ବିପଦ ସଙ୍କେତ ଉପରେ ବ୍ରହ୍ମପୁତ୍ର, ରାଜସ୍ଥାନରେ ୨୦୦ ମିମି ବର୍ଷା ରେକର୍ଡ

ଗୌହାଟୀ/ଜୟପୁର: ଆସାମରେ ବନ୍ୟା ସ୍ଥିତି ସାଂଘାତିକ । ବିପଦ ସଙ୍କେତ ଉପରେ ବ୍ରହ୍ମପୁତ୍ର । ଅନ୍ୟ ଶାଖା ନଦୀରେ ବି ଜଳସ୍ତର ବୃଦ୍ଧି । ଲଗାଣ ବର୍ଷା ଯୋଗୁ ବଢୁଛି ଜଳସ୍ତର । ରାଜ୍ୟର ୧୦ ଜିଲ୍ଲାର ୩୭ ହଜାରରୁ ଅଧିକ ଲୋକ ଜଳବନ୍ଦୀ । ଗୌହାଟୀରେ ଭୂସ୍ଖଳନ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାରାରାଜ୍ୟରେ ନଦୀ ବନ୍ଧ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ବର୍ଷା, ବନ୍ୟା ଯୋଗୁ ସାରାରାଜ୍ୟରେ ଅନେକ ସଡ଼କ, ସ୍କୁଲ ଆଦି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ବନ୍ୟାପାଣିରେ ବୁଡ଼ି ରହିଛି ।

ସେପଟେ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ରାଜସ୍ଥାନରେ ପ୍ରବଳ ବର୍ଷା ପରେ ବନ୍ୟାସ୍ଥିତି ଉପୁଜିଛି । ଜଲୋର, ସିରୋହି ଓ ବାଡମେରର ଅଧିକାଂଶ ଅଞ୍ଚଳ ଜଳମଗ୍ନ । ୪ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨ଶହ ମିମି ବର୍ଷା ରେକର୍ଡ ହୋଇଛି । ହଜାରେରୁ ଅଧିକ ଗାଁରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଏନଡିଆରଏଫ ଓ ଏସଡିଆରଏଫ୍ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁ ଅଜମେରସ୍ଥିତ ଜଓ୍ବାହରଲାଲ ନେହରୁ ହସ୍ପିଟାଲରେ ପାଣି ପଶିଯାଇଛି । ରୋଗୀମାନେ ହନ୍ତସନ୍ତ ହେଉଥିବା ବେଳେ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି ବି ବିଭନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।