ଲଗାଣ ବର୍ଷାରେ ବେହାଲ ତାମିଲନାଡୁ, ଝଡ଼ ବାତ୍ୟା ଆଶଙ୍କା

ଚେନ୍ନାଇ: ବର୍ଷାରେ ବେହାଲ ତାମିଲନାଡ଼ୁ ଅନ୍ତର୍ଗତ ନାଗପଟ୍ଟିନମ୍ । ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ହେବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ଅନ୍ୟପଟେ ତିରୁଭାରୁର ଜିଲ୍ଲାରେ ବି ବର୍ଷାର ପ୍ରକୋପ ଦେଖାଦେଇଛି । ବର୍ଷା କାରଣରୁ ନାଗପଟ୍ଟିନମ ଓ ତିରୁଭାରୁରରେ ଛୁଟି ଘୋଷଣା କରାଯାଇଛି । ଝଡ଼ ବାତ୍ୟା ଆଶଙ୍କା କରିଛି ପାଣିପାଗ ବିଭାଗ । ରାମେଶ୍ବରମ ପମ୍ପନ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ତାମିଲନାଡ଼ୁର କାରାଇକାଲଠାରୁ ୪୦୦ କିଲୋମିଟର ଦୂର ତଥା ଶ୍ରୀଲଙ୍କା ଉପକୂଳରୁ ୮୦ କିଲୋମିଟର ଦୂରରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ କ୍ରମାଗତ ବର୍ଷା ଲାଗି ରହିଛି । ଲଘୁଚାପ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଅନ୍ୟାନ୍ୟ ସ୍ଥାନରେ ବର୍ଷା ପ୍ରକୋପ ଦେଖାଦେଇଛି । ଆଜି ଏବଂ ଆସନ୍ତାକାଲି ବର୍ଷାର ପ୍ରକୋପ ବଢ଼ିବା ଆଶଙ୍କା ରହିଛି । ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ କରାଯାଇଛି ସତର୍କ ।