ଲଗାଣ ବର୍ଷାରେ କନ୍ଧମାଳ ଅସ୍ତବ୍ୟସ୍ତ, ରାସ୍ତାରେ ଚାଲୁଛି ୩ ଫୁଟର ପାଣି
କନ୍ଧମାଳ: ଲଘୁଚାପ ଜନିତ ବର୍ଷା ହେବା ଯୋଗୁ କନ୍ଧମାଳ ଜିଲ୍ଲା ଏବେ ଅସ୍ତବ୍ୟସ୍ତ । ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଗତରାତିଠାରୁ ଲଗାଣ ବର୍ଷା ହେବା ଯୋଗୁ ଫୁଲବାଣୀର ଢିପାସାହିର ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ ଘରେ ଲୋକଙ୍କର ପାଣି ପଶିଥିବାର ଦେଖିବାକୁ ମିଳିଛି । ନିଜ ନିଜ କାର୍ଯ୍ୟ କରିବାପାଇଁ ବାହାରକୁ ବାହାରିବା କଷ୍ଟ ଦାୟକ ହୋଇପଡ଼ିଛି । ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲକୁ ଯାଇ ପାରୁନାହାନ୍ତି । ନାଳରେ ପାଣି ଆସିବା ଯୋଗୁ ଫୁଲବାଣୀଠାରୁ କୁମ୍ଭାରପଡ଼ାକୁ ଯାତାୟତ ଏକ ପ୍ରକାର ବିଛିନ୍ନ ହୋଇଛି ।
ସେହିଭଳି ପିଲା ସାଲୁଙ୍କି ନଦୀରେ ଜଳସ୍ତର ବଢ଼ିବା ଯୋଗୁ ନଦୀଖଣ୍ଡି ଏବଂ ଡାକପାଲା ଡ୍ୟାମ୍ ଉପରେ ତିନି ଫୁଟର ପାଣି ଯିବା ଯୋଗୁ ଡାକପାଲା, ଦାମୀଗାଁ ଯାତାୟତ ବିଛିନ୍ନ ହୋଇଛି । ଲଗାଣ ବର୍ଷା ଯୋଗୁଁ ମାଦିକୁନ୍ଦା ଛକଠାରେ ଗୋଟିଏ ବଡ଼ ଗଛ ପଡ଼ିବା ଦ୍ଵାରା ପାଞ୍ଚଟି ଦୋକାନ ଘର ସହ ରାସ୍ତା ଅବରୋଧ ହୋଇଛି । ଦୋକାନ ଘର ଉପରେ ଗଛ ପଡ଼ିବା ଦ୍ଵାରା ଦୋକାନର ଜିନିଷଗୁଡ଼ିକ ନଷ୍ଟ ହୋଇଛି । ସେହିଭଳି ଚକାପାଦ ବ୍ଲୋକର ପୋଡ଼ାମାହା ଘାଟିରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଉପରେ ବଡ଼ ବଡ଼ ପଥର ଏବଂ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଚକାପାଦ, ବେହେରାଗାଁ, ପୋଡ଼ାମାହା, ଟିକାବାଲିକୁ ଯାତାୟତ ଠପ୍ ରହିଛି ।