ବେଙ୍ଗାଲୁରୁରେ ବର୍ଷା ତାଣ୍ଡବ, ଭୟଙ୍କର ବର୍ଷାରେ ଜଳମଗ୍ନ ମେଗାସିଟି

ବେଙ୍ଗାଲୁରୁ: ଭାସୁଛି ବେଙ୍ଗାଲୁରୁ । ଭୟଙ୍କର ବର୍ଷାରେ ଜଳମଗ୍ନ ମେଗାସିଟି । ସାରା ରାତି ବର୍ଷା ହେବା ଯୋଗୁ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଏହା ସହ ଧରଓ୍ୱାଡ ଜିଲ୍ଲା କୁନ୍ଦଗୋଲ ତାଲୁକରେ ମଧ୍ୟ ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି କୁନଦାଗୋଲ ତାଲୁକରେ ମଧ୍ୟ ବଢିଛି ବିପତ୍ତି । ଗାଞ୍ଜି ବାସବେଶ୍ୱର ଅଞ୍ଚଳର ବହୁ ରାସ୍ତା ଜଳମଗ୍ନ ହୋଇଛି । ବାଲବାରି ଅଞ୍ଚଳରେ ବର୍ଷା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ବେଙ୍ଗାଲୁରୁ ଓ ହୁବାଲିରେ ବର୍ଷାର ତାଣ୍ଡବ ଯୋଗୁ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ହୋଇଛି । ବର୍ଷାର ପ୍ରଭାବ ଯୋଗୁ ଟ୍ରାକ୍ଟର, ଡଙ୍ଗାରେ ସ୍କୁଲ ଓ ଅଫିସ୍ ଯାଉଛନ୍ତି ଲୋକେ ।

ମୂଷଳଧାରାରେ ବର୍ଷା ପରେ ବୁଡ଼ିଛି ସ୍ମାର୍ଟ ସିଟିର ସ୍ମାର୍ଟ ରୋଡ୍ । ଭିଆଇପି କଲୋନୀ ଆପାର୍ଟମେଣ୍ଟ ବେସମେଣ୍ଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ହୋଇଛି । ରାସ୍ତା ଉପରେ ବର୍ଷା ଜଳ ଲହଡ଼ି ମାରୁଥିବାରୁ ବିପର୍ଯ୍ୟସ୍ତ ହୋଇଛି ଟ୍ରାଫିକ ବ୍ୟବସ୍ଥା । ଏନଏଚ୍ ଉପରେ ଅଟକି ରହିଛି ଅନେକ ବସ୍, ଟ୍ରକ୍, କାର୍ । ଡଙ୍ଗା ଯୋଗେ ଚାଲିଛି ରେସ୍କ୍ୟୁ ଅପରେସନ । ପ୍ରଭାବିତ ଅଞ୍ଚଳ ପାଇଁ ଜୋନାଲ ହେଲ୍ପଲାଇନ ନମ୍ବର ଜାରି କରିଛି ପ୍ରଶାସନ ।