ବର୍ଷା ଆଣିଲା ବିପତ୍ତି, ରାସ୍ତାରେ ଭାସୁଛି ମାଳ ମାଳ ଗାଡ଼ି

ବେଙ୍ଗାଲୁରୁ: ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ । ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ରାସ୍ତାରେ ଭାସୁଛି ମାଳ ମାଳ ଗାଡ଼ି । ୯୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ଆଜି ପ୍ରବଳ ବର୍ଷା ନେଇ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ଲଗାତାର ୪ ଦିନ ହେଲା ଜାରି ରହିଛି ବର୍ଷା । ଫଳରେ ରାସ୍ତାରେ ଡଙ୍ଗା ଚାଲୁଥିବା ବେଳେ ଟ୍ରାକ୍ଟର, ଜେସିବି ଯୋଗେ ଚାଲିଛି ରେସ୍କ୍ୟୁ ଅପରେସନ । ଶହ ଶହ କଲୋନୀ ଜଳମଗ୍ନ ହୋଇଛି । ଅନେକ ଅଞ୍ଚଳକୁ ଦୁଇ ଦିନ ହେଲା ବନ୍ଦ ରହିଛି ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ।

ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଟିମ୍ ନିୟୋଜିତ କରାଯାଇଛି । ଡଙ୍ଗା ଓ ଟ୍ରାକ୍ଟର ଯୋଗେ ରେସ୍କ୍ୟୁ ଅପରେସନ ଜାରି ରଖିଛି ପ୍ରଶାସନ । କର୍ଣ୍ଣାଟକ ସରକାରଙ୍କ ଅବହେଳାକୁ ନେଇ ବର୍ଷିଛି ବିରୋଧୀ କଂଗ୍ରେସ । ସେପଟେ ପୂର୍ବ ସରକାରଙ୍କ ମୁଣ୍ଡକୁ ଦୋଷ ଠେଲିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ । ବେଙ୍ଗାଲୁରୁ ସହ ଅନ୍ୟ ଜିଲ୍ଲାର ବନ୍ୟା ମୁକାବିଲା ପାଇଁ ୬ ଶହ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।