ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତାକାଲିଠୁ ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ବସ୍ତି, କାଲିଠୁ ସକ୍ରିୟ ହେବ ମୌସୁମୀ । ଧାରା ଶ୍ରାବଣର ଶେଷ ଭାଗରେ ହେବ ପ୍ରବଳ ବର୍ଷା । ୪ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ୫ତାରିଖରୁ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସାମ୍ଭାବ୍ୟ ଲଘୁଚାପର ମୁକାବିଲା କରିବା ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍ଆରସି ।

ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ସେପଟେ ଲଗାତର ୨ମାସରୁ ଅଧିକ ସମୟ ନିଅଣ୍ଟିଆ ବର୍ଷା ସ୍ଥିତି ପାଇଁ ଚିନ୍ତାରେ ଚାଷୀ । ଜୁନ୍ ମାସର ନିଅଣ୍ଟିଆ ବର୍ଷାକୁ କିଛି ପରିମାଣରେ ଭରଣା କରିଥିଲା ଜୁଲାଇର ଦୁଇଟି ଲଘୁଚାପ । କିନ୍ତୁ ମାସ ଶେଷରେ ଟାଣ ଖରା ପାଇଁ ଢିପ ଜମିରୁ ପାଣି ଶୁଖିଯାଇଛି ।

ଏହାସହ ସମତଳ ଜମିରେ ମଧ୍ୟ ଠିକ୍ ସମୟରେ ଚାଷ ହୋଇପାରିନି। ଶ୍ରୀଗୁଣ୍ଡିଚା ଠାରୁ ଧାନ ରୁଆ କାମ ଆରମ୍ଭ ହେବା କଥା । କିନ୍ତୁ ଏବେବି ପାଣି ପାଇଁ ଅଧିକାଂଶ ଜମିରେ ରୁଆ ଆରମ୍ଭ ହୋଇନାହିଁ। ଚାଷ କାମ ଦୁଇମାସ ବିଳମ୍ବ ହୋଇଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ବର୍ଷା ସ୍ୱାଭାବିକ ନହେବାରୁ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଥିଲା । ବର୍ଷା ଖବର ଶୁଣିବା ପରେ ଚାଷୀ ଟିକେ ଆଶ୍ୱସ୍ତି ଲାଭ କରିଛନ୍ତି ।

ଦୁର୍ବଳ ମୌସୁମୀ ଏବଂ ମେଘମୁକ୍ତ ଆକାଶ ପାଇଁ ଗତ ଜୁନ୍ ୨୫ ତାରିଖରୁ ରାଜ୍ୟରେ ଚାଲିଛି ତାତିର ଅଘୋଷିତ କର୍ଫ୍ୟୁ । ୩୬ ଡିଗ୍ରୀ ଉପରେ ତାପାମାତ୍ରା ସହ ୬୦ରୁ ୭୦ ପ୍ରତିଶତ ହ୍ୟୁମିଡିଟି ପାଇଁ ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ତାତିର ରାଜ୍। କିନ୍ତୁ କାଲିଠୁ ପାଗ ବଦଳିବା ସହ ସକ୍ରିୟ ହେବ ମୌସୁମୀ । ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫୧୬.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ଠାରୁ ୧୦ ପ୍ରତିଶତ କମ୍ । ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨ଟିରେ ସ୍ବାଭାବିକ ଠାରୁ ଅଧିକ ଏବଂ ୨୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।