ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଆହୁରି ଦୁଇ ଦିନ ପ୍ରବଳ ବର୍ଷିବ

1 min read

ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରବଳ ବର୍ଷିବ । ଆଜି ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହୋଇପାରେ । ଆସନ୍ତାକାଲି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

rain odisha

ଏବେ ଅକ୍ଟୋବର ସରିବାକୁ ବସିଲାଣି କିନ୍ତୁ ଶୀତର ଦେଖା ନାହିଁ । ପ୍ରତିବର୍ଷ ଦୀପାବଳୀ ବେଳକୁ ଶୀତ ଆସିଯାଇଥାଏ । ଦୀପାବଳୀ ପୋକଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଏ ବର୍ଷ ଶୀତ ଆସିବାରେ ବିଳମ୍ବ ହୋଇଥିବାରୁ ଏଥର ଏହି ଲଘୁଚାପ ବର୍ଷା ଶୀତ ଆଣିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି । ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ମତରେ ବର୍ଷା ହେବା ସାଙ୍ଗକୁ ଧିରେ ଧିରେ ଶୀତ ବଢିବ । ଲଘୁଚାପ ପରେ ଜଳୀୟ ବାଷ୍ପ ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେବ । ହଠାତ ପ୍ରବଳ ମାତ୍ରାରେ ଶୀତ ବଢିବନି ବରଂ ଧିରେ ଧିରେ ଏହା ଅନୁଭୂତ ହେବ । ଆସନ୍ତା ୨୭ ତାରିଖ ରାତିରୁ ୩ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ସେ ସୂଚନା ଦେଇଛନ୍ତି  । ସେପଟେ ୨୫ ତାରିଖରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏଥିପାଇଁ ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ')}

Leave a Reply