ପୁଣି ଦୁଇ ଦିନ ବର୍ଷିବ, ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ

ଭୁବନେଶ୍ବର: ଦୁଇ ଦିନର ବିରତି ପରେ ପୁଣି ଦୁଇ ଦିନ ବର୍ଷିବ । ଏଥର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମାଝଡର ପ୍ରଭାବରେ ଆଜି ଓ କାଲି ବର୍ଷା ନେଇ ଆକଳନ କରାଯାଇଛି । ଆଜି ବରଗଡ଼, ବଲାଙ୍ଗୀର, ନୂଆପଡ଼ା,ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । କାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର,କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାକି ଅନେକ ଜିଲ୍ଲାରେ ଆକାଶ ମେଘୁଆ ରହିବ। ସେପଟେ ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ । ଆସନ୍ତା ୩୦ ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପାଗ । ବିଗତ କିଛିଦିନ ହେବ ରାତିର ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆସନ୍ତା ୩ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ୩ ଦିନ ପରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିବ ଆଉ ଶୀତ ବଢିବ ।

ବିଶେଷକରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିବ । ମେଘୁଆ ପାଗ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ। ଏଥିପାଇଁ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ଘନ କୁହୁଡ଼ି ଅନୁଭୁତ ହେବ। ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ କ୍ଷମତା ।