ଘର ଉପରେ ଭୁଷୁଡ଼ି ପଡ଼ିଲା ପାହାଡ, ମାଆ-ଛାତି ଉପରେ ଶିଶୁର ଶବ

ଶିମଲା: ଏମିତି ଏକ ମୃତ୍ୟୁର ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ମାତ୍ରେ ହିଁ ଲୋକେ କୋହ ସମ୍ବାଳିପାରି ନାହାଁନ୍ତି  । କାରଣ ମୃତ୍ୟୁଟି ଯେତିକି ଭୟଙ୍କର,  ସେତିକି ହୃଦୟ ବିଦାରକ ମଧ୍ୟ  । ହିମାଚଳ ପ୍ରଦେଶରେ ଜାରି ରହିଛି  ପ୍ରଚଣ୍ଡ ବର୍ଷା  । ଏବଂ ବର୍ଷା ଫଳରେ ପାହାଡିଆ ଅଞ୍ଚଳରେ ଘଟିଛି ଭୂସ୍ଖଳନ  । ଯଦିବା ପାହାଡ଼ ଧସିବା ହିମାଚଳ ପ୍ରଦେଶରେ କିଛି ନୂଆ କଥା ନୁହେଁ, କିନ୍ତୁ ଏମିତି ଏକ ଘଟଣା ଘଟିଛି ଯାହା ଲୋକଙ୍କୁ ଶୁଆଇ ଦେଉନି  ।  ଏକ ପରିବାର ସଦସ୍ୟ ଘରେ ଶୋଇଥିବାବେଳେ ପାହାଡ ଧସିଥିଲା  । ଏବଂ ଘରେ ଭିତରେ ଚାପି ହୋଇ ରହିଯାଇଥିଲେ ସମସ୍ତେ  ।

ମଣ୍ଡି ଜିଲ୍ଲାର କାଶନ ଅଞ୍ଚଳରେ ଘଟଣାଟି ଘଟଥିବା ବେଳେ ମାଟି ତଳେ ଚାପିହୋଇ ରହିଯାଇଥିଲେ ୮ ସଦସ୍ୟ  । କିନ୍ତୁ ଏଥିରେ ହୃଦୟ ଫଟା ଦୃଶ୍ୟ ରହିଥିଲା  । ଯେତେବେଳେ ଉଦ୍ଧାରକାରୀ ଦଳ ମାଟି ଅତଡ଼ା କାଢିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ, ସେହି ସମୟରେ ଯାହା ଦେଖିଥିଲେ ସେମାନଙ୍କୁ ମଧ୍ୟ ତାହା ବିଚଳିତ କରିପକାଇଥିଲା  । କାରଣ ଜଣେ ମାଆ ଚାପି ହୋଇ ମୃତ୍ୟୁ ବରଣ କରିଥିବାବେଳେ ମାଆର ଛାତିରେ ମୁଣ୍ଡ ମାଡ଼ି ଚାପି ହୋଇ ରହିଛି କୁନି ଶିଶୁ  । କିନ୍ତୁ ଉଭୟେ ମୃତ୍ୟୁ ବରଣ କରିଛନ୍ତି  । ଏଥି ସହିତ ପିତା ପୁତ୍ର ସମସ୍ତେ ସେହି ଘର ଭିତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  ।

ଘର ଉପରେ ମାଟି ଅତଡ଼ା ଧସିବାପରେ ପ୍ରଶାସନକୁ ଖବର ଦେଇଥିଲେ ଗାଁ ଲୋକେ  । କିନ୍ତୁ  ଘଟଣା ସ୍ଥଳରେ ବିଳମ୍ବରେ ପହଁଚିଥିଲେ ଉଦ୍ଧାରକାରୀ ଦଳ  । ଯେହେତୁ ସମଗ୍ର ଅଞ୍ଚଳରେ ପାହାଡ ଧସିଥିଲା ତେଣୁ ଉଦ୍ଧାରକାରୀ ଦଳ ଆସିବାରେ ବାଧା ସୃଷ୍ଟି ହୋଇଥିଲା  ।  ଆଉ ପରିବାର ଲୋକେ ସେହି ଘରେ ରହିଯାଇଥିଲେ  । ଗ୍ରାମବାସୀଙ୍କ ସତ ଚେଷ୍ଟା ସ୍ୱତେ ମଧ୍ୟ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ସମ୍ଭବ ପର ହୋଇନଥିଲା  ।

ଯେତେବେଳେ ଉଦ୍ଧାରକାରୀ ଦଳ ପହଁଚି ରେସକ୍ୟୁ ଇପରେସନ ଆରମ୍ଭ କରିଥିଲେ, ସେତେବେଳେ ସମସ୍ତେ ମୃତ୍ୟୁ ବରଣ କରିସାରିଥିଲେ  । ପରିବାରର ୮ ସଦସ୍ୟଙ୍କ ମୃତ ଦେହ ଉଦ୍ଧାର କରିଥିଲା ଉଦ୍ଧାରକାରୀ ଦଳ  । କିନ୍ତୁ ଘଟଣାସ୍ଥଳରେ ସମସ୍ତଙ୍କୁ କନ୍ଦାଇଥିଲା ସେହି ଦୃଶ୍ୟ  । ଯେଉଁଠି ମାଆ ଛାତିରେ ଛୁଆଟି ଶୋଇଥିବାବେଳେ ଉଭୟ ମାଆ ଓ ଶିଶୁର ମୃତ୍ୟୁ ହୋଇଛି  । ଏମିତି ଦୃଶ୍ୟ ସମଗ୍ର ଅଞ୍ଚଳକୁ ଶୋକାକୂଳ କରିଦେଇଥିଲା  । ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲା  । ସେପଟେ ପୋଲିସ ପହଁଚି ସମସ୍ତ ମୃତକଙ୍କ ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ କରିଛି  ।