ଘର ଉପରେ ଭୁଷୁଡ଼ି ପଡ଼ିଲା ପାହାଡ, ମାଆ-ଛାତି ଉପରେ ଶିଶୁର ଶବ
ଶିମଲା: ଏମିତି ଏକ ମୃତ୍ୟୁର ଚିତ୍ର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ମାତ୍ରେ ହିଁ ଲୋକେ କୋହ ସମ୍ବାଳିପାରି ନାହାଁନ୍ତି । କାରଣ ମୃତ୍ୟୁଟି ଯେତିକି ଭୟଙ୍କର, ସେତିକି ହୃଦୟ ବିଦାରକ ମଧ୍ୟ । ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରଚଣ୍ଡ ବର୍ଷା । ଏବଂ ବର୍ଷା ଫଳରେ ପାହାଡିଆ ଅଞ୍ଚଳରେ ଘଟିଛି ଭୂସ୍ଖଳନ । ଯଦିବା ପାହାଡ଼ ଧସିବା ହିମାଚଳ ପ୍ରଦେଶରେ କିଛି ନୂଆ କଥା ନୁହେଁ, କିନ୍ତୁ ଏମିତି ଏକ ଘଟଣା ଘଟିଛି ଯାହା ଲୋକଙ୍କୁ ଶୁଆଇ ଦେଉନି । ଏକ ପରିବାର ସଦସ୍ୟ ଘରେ ଶୋଇଥିବାବେଳେ ପାହାଡ ଧସିଥିଲା । ଏବଂ ଘରେ ଭିତରେ ଚାପି ହୋଇ ରହିଯାଇଥିଲେ ସମସ୍ତେ ।
ମଣ୍ଡି ଜିଲ୍ଲାର କାଶନ ଅଞ୍ଚଳରେ ଘଟଣାଟି ଘଟଥିବା ବେଳେ ମାଟି ତଳେ ଚାପିହୋଇ ରହିଯାଇଥିଲେ ୮ ସଦସ୍ୟ । କିନ୍ତୁ ଏଥିରେ ହୃଦୟ ଫଟା ଦୃଶ୍ୟ ରହିଥିଲା । ଯେତେବେଳେ ଉଦ୍ଧାରକାରୀ ଦଳ ମାଟି ଅତଡ଼ା କାଢିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ, ସେହି ସମୟରେ ଯାହା ଦେଖିଥିଲେ ସେମାନଙ୍କୁ ମଧ୍ୟ ତାହା ବିଚଳିତ କରିପକାଇଥିଲା । କାରଣ ଜଣେ ମାଆ ଚାପି ହୋଇ ମୃତ୍ୟୁ ବରଣ କରିଥିବାବେଳେ ମାଆର ଛାତିରେ ମୁଣ୍ଡ ମାଡ଼ି ଚାପି ହୋଇ ରହିଛି କୁନି ଶିଶୁ । କିନ୍ତୁ ଉଭୟେ ମୃତ୍ୟୁ ବରଣ କରିଛନ୍ତି । ଏଥି ସହିତ ପିତା ପୁତ୍ର ସମସ୍ତେ ସେହି ଘର ଭିତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଘର ଉପରେ ମାଟି ଅତଡ଼ା ଧସିବାପରେ ପ୍ରଶାସନକୁ ଖବର ଦେଇଥିଲେ ଗାଁ ଲୋକେ । କିନ୍ତୁ ଘଟଣା ସ୍ଥଳରେ ବିଳମ୍ବରେ ପହଁଚିଥିଲେ ଉଦ୍ଧାରକାରୀ ଦଳ । ଯେହେତୁ ସମଗ୍ର ଅଞ୍ଚଳରେ ପାହାଡ ଧସିଥିଲା ତେଣୁ ଉଦ୍ଧାରକାରୀ ଦଳ ଆସିବାରେ ବାଧା ସୃଷ୍ଟି ହୋଇଥିଲା । ଆଉ ପରିବାର ଲୋକେ ସେହି ଘରେ ରହିଯାଇଥିଲେ । ଗ୍ରାମବାସୀଙ୍କ ସତ ଚେଷ୍ଟା ସ୍ୱତେ ମଧ୍ୟ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ସମ୍ଭବ ପର ହୋଇନଥିଲା ।
ଯେତେବେଳେ ଉଦ୍ଧାରକାରୀ ଦଳ ପହଁଚି ରେସକ୍ୟୁ ଇପରେସନ ଆରମ୍ଭ କରିଥିଲେ, ସେତେବେଳେ ସମସ୍ତେ ମୃତ୍ୟୁ ବରଣ କରିସାରିଥିଲେ । ପରିବାରର ୮ ସଦସ୍ୟଙ୍କ ମୃତ ଦେହ ଉଦ୍ଧାର କରିଥିଲା ଉଦ୍ଧାରକାରୀ ଦଳ । କିନ୍ତୁ ଘଟଣାସ୍ଥଳରେ ସମସ୍ତଙ୍କୁ କନ୍ଦାଇଥିଲା ସେହି ଦୃଶ୍ୟ । ଯେଉଁଠି ମାଆ ଛାତିରେ ଛୁଆଟି ଶୋଇଥିବାବେଳେ ଉଭୟ ମାଆ ଓ ଶିଶୁର ମୃତ୍ୟୁ ହୋଇଛି । ଏମିତି ଦୃଶ୍ୟ ସମଗ୍ର ଅଞ୍ଚଳକୁ ଶୋକାକୂଳ କରିଦେଇଥିଲା । ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲା । ସେପଟେ ପୋଲିସ ପହଁଚି ସମସ୍ତ ମୃତକଙ୍କ ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ କରିଛି ।