spot_img

Latest Posts

ଦୁଇଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ବାଭାବିକ ସମୟର ଦୁଇଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଏବଂ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ପାଣିପାଗ ନିୟାମକ ମୌସୁମୀ ସକ୍ରିୟ କରାଇବାକୁ ସକ୍ଷମ ହେବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ଉପରେ ରହିଥିବା ବେଳେ ଆର୍ଦ୍ରତା ୬୦ ରୁ ୭୦ ପ୍ରତିଶତ ରହୁଛି । ବଜ୍ରପାତ ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗରମ ଗୁଳିଗୁଳିରେ ସନ୍ତୁଳିହେବେ ଉପକୂଳବାସୀ । ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଏକ ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ। କାଲିଠୁ ୧୦ ତାରିଖ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ବରଗଡ, ବଲାଙ୍ଗିର ଏବଂ ନୂଆପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Latest Posts

Don't Miss