ରାଜ୍ୟରେ ନନଷ୍ଟପ୍ ବର୍ଷା: ୨୭ ଯାଏଁ ଭିଜିବ ସାରା ରାଜ୍ୟ

1 min read

ରାଜ୍ୟରେ ନନଷ୍ଟପ୍ ବର୍ଷା । ୨୭ ଯାଏଁ ଭିଜିବ ସାରା ରାଜ୍ୟ । ଆସୁଛି ବ୍ୟାକ ଟୁ ବ୍ୟାକ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉଏକ ଲଘୁଚାପ । ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରଯାଇଛି ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଜାରି ହୋଇଛି ରେଡ୍ ଆଲର୍ଟ I ପୁଣି ୪ ଜିଲ୍ଲା କେଉଁଝର, ମୟୁରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅନ୍ୟ ୨୫ ଜିଲ୍ଲାରେ ପାଇଁ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ । ତେବେ ୨୭ ପରେ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଗୋଟିଏ ପରେ ଗୋଟିଏ ଲଘୁଚାପ ପରେ ବି ରାଜ୍ୟର କିଛି ଜିଲ୍ଲା ମାନଙ୍କରେ ଦେଖିବାକୁ ମିଳିଛି ନିଅଣ୍ଟିଆ ବର୍ଷା  । ତେବେ ମୌସୁମୀ ଋତୁ ଜାରି ରହିଥିବାରୁ ନିଅଣ୍ଟିଆ ଭରଣା ହେବା ଆଶା କରାଯାଉଛି ।