ପୁଣି ପାଣି ପାଣି ଚେନ୍ନାଇ, ଲଗାଣ ବର୍ଷାରେ ବେଲଗାମ ଜଳ

ଚେନ୍ନାଇ: ପୁଣି ପାଣି ପାଣି ହେଲା ଚେନ୍ନାଇ । ଲଗାଣ ବର୍ଷା ଯୋଗୁ ଚେନ୍ନାଇ ସମେତ କୁଡାଲୋର, ଭିଲୁପୁରମ୍, ଚେଙ୍ଗାଲପଟ୍ଟୁ, କାଞ୍ଚିପୁରମ୍, ଥିରୁଭାଲୁର ଆଦି ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବି ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ୧୯ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ପେରାମ୍ବଲୁରୁ, ଭେଲେର, ରାଣିପତରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଅବପାତରେ ପରିଣତ ହୋଇଛି । ଯାହା ପ୍ରଭାବରେ ତାମିଲନାଡୁ ଉପକୂଳରେ ବର୍ଷାଲାଗି ରହିଛି । ତିରୁପୁର ଜିଲ୍ଲାରେ ସର୍ବାଧିକ ୨୦ ସେମି ବର୍ଷା ରେକର୍ଡ ହୋଇଛି । ଅଧିକାଂଶ ଜିଲ୍ଲାରେ ଆଜି ବି ପ୍ରବଳବର୍ଷା ଜାରି ରହିଛି । ତଳିଆ ଅଞ୍ଚଳଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି । ଚେନ୍ନାଇରେ ଏନଡିଆରଏଫର ଦୁଇଟି ଟିମ୍ ନିୟୋଜିତ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାରେ ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply