ଲଘୁଚାପ ବର୍ଷାରେ ବେହାଲ ଓଡିଶା, ଆହୁରି ତିନି ଦିନ ଅବିଶ୍ରାନ୍ତ ବର୍ଷିବ

ଭୁବନେଶ୍ବର: ଅବିଶ୍ରାନ୍ତ ବର୍ଷାରେ ବେହାଲ ଓଡ଼ିଶା । ଗତକାଲି ଠୁ ଲାଗି ରହିଛି ପ୍ରବଳ ବର୍ଷା  । ଆଜିଠୁ ବର୍ଷାର ପରମାଣ  ବଢିବ  । ଓ୍ବେଲମାର୍କ ଲୋ’ପ୍ରେସରରେ ପରିଣତ ହେବ ଲଘୁଚାପ । ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆଭ୍ୟନ୍ତରୀଣ ଓଡ଼ିଶା, ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଆଜି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି  । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, ବୌଦ୍ଧ ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସମୁଦ୍ର ଅଶାନ୍ତ ରହିବା ଯୋଗୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି  ।

ଗତକାଲି (ଶନିବାର) ଲଗାଣ ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଥିଲା । ରାଜଧାନୀର ଅନେକ ଜନଗହଳି ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିଲା । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ଯୋଗୁଁ ବୁଡ଼ିଯାଇଥିଲା ମୋ ବସ୍ ।