ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଏୟାର ଷ୍ଟ୍ରିପ ପାଚେରୀ

1 min read

ମାଲକାନଗିରି: ଏୟାର ଷ୍ଟ୍ରିପ ପାଚେରୀ ଭାଙ୍ଗିବାରୁ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ପାଚେରୀ କାର୍ଯ୍ୟ ଚାଲୁଥିବା ବେଳେ ପ୍ରବଳ ପବନରେ ଭାଙ୍ଗି ଯାଇଥିଲା ଏୟାର ଷ୍ଟ୍ରିପ୍ ପାଚେରୀ। ଗୁରୁତର ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ଅପରାହ୍ନରେ ଭୀଷଣ ପବନ ହୋଇଛି । ଯାହାଫଳରେ ବିଭିନ୍ନ ସ୍ଥାନରେ ବିଶାଳକାୟ ଗଛ ପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡିଥିବାରୁ ଗାଡ଼ି ଅଟକି ରହିଛି। ଅନେକ ଘରର ଟିଣ ଛପର ଉଡ଼ିଯାଇଛି । ଅଗ୍ନିଶମ ବାହିନୀ ରାସ୍ତା ସଫା କାର୍ଯ୍ୟରେ ଲାଗିଛନ୍ତି ।

ସେହିପରି ସତୀଗୁଡ଼ା ଡ୍ୟାମରେ ୨ଟି ଡଙ୍ଗା ବୁଡିଯିବାରୁ ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ନିଖୋଜଙ୍କ ଉଦ୍ଧାର କରିବାକୁ କୋରାପୁଟ ଓଡ୍ରାଫ ଟିମକୁ ସତୀଗୁଡ଼ା ପଠାଯାଇଛି । ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ ନେଇ ତତ୍ପରତା ପ୍ରକାଶ କରିଛନ୍ତି ଏସଆରସି । ଆସନ୍ତାକାଲି ସୁଦ୍ଧା ଘରଭଙ୍ଗା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ବିଦ୍ୟୁତ ସରବରାହ ପୁନଃସ୍ଥାପନ ପାଇଁ TPSODLକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।