ଆଗକୁ ଅଗ୍ରସର ହେଉଛି ମୌସୁମୀ, ୧୭ ତାରିଖରୁ ବଡ଼ ବର୍ଷା !

ଭୁବନେଶ୍ବର: ଆସନ୍ତା ୧୭ ତାରିଖରୁ ରାଜ୍ଯରେ ହେବ ବଡ଼ ବର୍ଷା । ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଖୁବ୍ ଶୀଘ୍ର ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ । ଏଥିପାଇଁ ଅନୁକୂଳ ହେଉଛି ପାଗ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ୧୭ ତାରିଖରେ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୟାଗଡ଼ ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୧୮ ରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଏବଂ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ । କାଳବୈଶାଖୀ ବର୍ଷା ହେଲେ ମଧ୍ୟ ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ହଟ୍ ଆଣ୍ଡ ହ୍ୟୁମିଡ ପାଣିପାଗ ସ୍ଥିତି ଦେଖାଦେବ। ଚଳିତ ବର୍ଷ ଜୁନ ୮ ତାରିଖ ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିଥିଲା ଓଡ଼ିଶା । ହେଲେ ନିଷ୍କ୍ରିୟ ହୋଇ ମାଲକାନଗିରି ଜିଲ୍ଲାରେ ରହିଥିଲା । ପରେ କୋରାପୁଟ ଜିଲ୍ଲାକୁ ଚୁଇଁଥିବାବେଳେ ପ୍ରାୟ ୭ ଦିନ ପରେ ପୁଣି ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ହୋଇଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।