୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ୨ ଯାଏଁ ଖରା-ଛାଇର ଖେଳ

1 min read

ଭୁବନେଶ୍ବର : ବର୍ଷାରେ ଭିଜିବ ଦଶହରା ! ଅକ୍ଟୋବରରେ ଅଶାନ୍ତ ହେବ ବଙ୍ଗୋପସାଗର । ଦ୍ବିତୀୟ ସପ୍ତାହରେ ପୁଣି ସୃଷ୍ଟି ହେବ ଲଘୁଚାପ । ଉତ୍ତର-ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା । ଘୂର୍ଣ୍ଣିବଳୟ ପରେ ସ୍ପଷ୍ଟ ହେବ ଗତିପଥ । ଅଧିକାଂଶ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ । ବାତ୍ଯା ସିଜନ ଥିବାରୁ ସିଷ୍ଟମ ଉପରେ ଆଇଏମ୍ଡିର ସ୍ବତନ୍ତ୍ର ନଜର । ୪ ରୁ ୧୦ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆକଳନ କରିଛି ଆଇଏମ୍ଡି । ପ୍ରଭାବରେ ୪ ଅକ୍ଟୋବରରୁ ୧୦ ଅକ୍ଟୋବର ରାଜ୍ୟର ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରତି ବର୍ଷ ଅକ୍ଟୋବରରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଘନୀଭୁତ ହୋଇ ବାତ୍ୟାର ରୂପ ନେବାର ନଜିର ରହିଛି । ତେଣୁ ସିଷ୍ଟମ ଉପରେ ଆଇଏମଡିର ସ୍ବତନ୍ତ୍ର ନଜର ରହିଛି ।  ୧୩ ତାରିଖରେ ଦଶହରା ଥିବାରୁ ପାର୍ବଣ ବର୍ଷାରେ ଭିଜିବାନେଇ ଆଶଙ୍କା ସୃଷ୍ଟି ହୋଇଛି ।

ସେପଟେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ସିଷ୍ଟମର ପ୍ରଭାବ ନାହିଁ । ସକାଳେ ମେଘମୁକ୍ତ ଆକାଶ ସହ ଟାଣ ଖରା ହେବ । ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ୭୦ ରୁ ୮୦ ପ୍ରତିଶତ ରହିବ । ପ୍ରଭାବରେ ଗରମ ଗୁଳୁଗୁଳି ଅନୁଭୁତ ହେବ । କିନ୍ତୁ ଅପରାହ୍ନ ସମୟରେ ଆକସ୍ମିକ ଭାବରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ହୋଇପାରେ । ୪ ଓ ୫ ତାରିଖ ଠାରୁ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦିନକ ପରେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଫେରିନି ମୌସୁମୀ । କିନ୍ତୁ ସମ୍ଭାବ୍ୟ ଲଘୁଚାପ ସୃଷ୍ଟି ନେଇ ଆଇଏମ୍ଡିର ଦୀର୍ଘମିଆଦି ଆକଳନ ପୂଜା ମଣ୍ଡପ ସଦସ୍ୟଙ୍କ ଛନକା ବଢାଇଛି ।