ଦିଲ୍ଲୀରେ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

1 min read

ନୂଆଦିଲ୍ଲୀ: ବର୍ଷାରେ ବେହାଲ ଦିଲ୍ଲୀ । ପବନ ସହ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ବର୍ଷାରେ ରାଜଧାନୀ ଭିଜିବା ପରେ ତାତିରୁ ମିଳିଛି ଆଶ୍ବସ୍ତି । ଆଭ୍ୟନ୍ତରୀଣ ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦରେ ବି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଦିଲ୍ଲୀ-ଏନସିଆର ଆକାଶ ମେଘାଚ୍ଛନ୍ନ ଥିବାବେଳେ ବର୍ଷା ଲାଗି ରହିଥିବା ସୂଚନା ମିଳିଛି । କେତେକ ସ୍ଥାନରେ ଘଣ୍ଟା ପ୍ରତି ପ୍ରାୟ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବର୍ଷା ଯୋଗୁ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

ଚଳିତ ସପ୍ତାହରେ ଦିଲ୍ଲୀର ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହୋଇଥିବାରୁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଥିଲା । ତେବେ ଭୀଷଣ ବର୍ଷା ଯୋଗୁ ତାତିରୁ ଆଶ୍ବସ୍ତି ମିଳିଛି । ସେପଟେ ହିମାଚଳ ପ୍ରଦେଶର ଲାଉଲ, ସ୍ପିତି ଓ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖାଯାଇଛି । ପ୍ରଚଣ୍ଡ ତାପରେ ଦେଶ ଛଟପଟ ହେଉଥିବାବେଳେ ଏହି ଦୁଇ ରାଜ୍ୟରେ ତୁଷାରପାତ ଘଟିଛି । ତେଣେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ବରଫ ଭିତରେ ଫସିଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଏସଡିଆରଏଫ ଟିମ୍ ।