ଘୂର୍ଣ୍ଣିବଳୟ ପ୍ରଭାବରେ ଝଡ଼, ପବନ ସହ କୁଆପଥର ବର୍ଷା ସମ୍ଭାବନା, ୩ ଦିନ ପାଇଁ ମିଳିବନି ନିସ୍ତାର

ଭୁବନେଶ୍ୱର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଝଡ଼ ପବନ ସହ କୁଆପଥର ବୃଷ୍ଟି ସମ୍ଭାବନା । ୩ ଦିନ ପାଇଁ ମିଳିବନି ନିସ୍ତାର । ଆଜି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଏବଂ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାଜପୁର, ଢେଙ୍କାନାଳ ଏବଂ କଟକରେ ୭୦ ରୁ ୧୧୦ ମିଲିମିଟର ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି । ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା , ଜଗତସିଂହପୁର, ନୟାଗଡ଼, ପୁରୀରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।

ରାଜ୍ୟରେ ସକ୍ରିୟ ପଶ୍ଚିମା ଝଡ଼ ସହ ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼, ଝାଡଖଣ୍ଡ ଏବଂ ଗାଙ୍ଗେୟ ଉପତ୍ୟକା ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ସହ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଘୂର୍ଣ୍ଣିବଳୟର ପ୍ରଭାବ ଆଜି ସର୍ବାଧିକ ରହିବ । ଆସନ୍ତାକାଲି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ କାଳବୈଶାଖୀ ନେଇ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବରକୁ ସତର୍କତା ଜାରି କରାଯାଇଛି । ୨୧ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଆସିବା ସହ ବର୍ଷାର ପରିମାଣ କମିବ ବୋଲି ଆକଳନ କରାଯାଇଛି । ନୂଆପଡ଼ା, ବଲାଙ୍ଗିର ଏବଂ କଳାହାଣ୍ଡିରେ କୁଆପଥର ବର୍ଷା ସମ୍ଭାବନା ଥିବାରୁ ଜନସାଧାରଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।