ଗୁଜରାଟରେ ବର୍ଷାର ତାଣ୍ଡବ, ଉବୁଟୁବୁ ନବସାରୀ ଜିଲ୍ଲାର ଅନେକ ଅଞ୍ଚଳ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟରେ ଜଳ ପ୍ରଳୟ। ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷାରେ ବେହାଲ ହୋଇଛି ଜୀବନ। ନବସାରୀ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ୮ ଘଣ୍ଟା ମଧ୍ୟରେ ନବସାରୀ ଅଂଚଳରେ ସର୍ବାଧିକ ୩୦୩ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷାରୁ ତଳିଆ ଅଂଚଳରେ ପାଣି ଜମିଛି। ସ୍ଥିତି ବିଗିଡିବାରୁ ପାଖାପାଖି ୨୫ଶହ ଲୋକଙ୍କୁ ତଳିଆ ଅଂଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଂଚଳରେ ୧୫ଟି ମେଡିକାଲ ଟିମକୁ ନିୟୋଜିତ କରାଯାଇଛି। ନବସାରୀ ଦେଇ ବହି ଯାଇଥିବା ପୂର୍ଣ୍ଣ ନଦୀ ବିପଦ ସଂକେତ ଟପି ୨୮ ଫୁଟରେ ଚାଲିଛି। ପୂର୍ଣ୍ଣ ନଦୀରେ ବିପଦ ସଙ୍କେତ ୨୩ ଫୁଟ ରହିଛି।

ସେହିପରି ଆଖପାଖ ଅଂଚଳର ୭୦ଟି ରାସ୍ତାରେ ପାଣି ଜମି ଯାଇ ଗାଡି ଚଳାଚଳ ପ୍ରଭାବିତ ହୋଇଛି।  ତାପି ଜିଲ୍ଲାର ଭାଲୋଦ ଅଂଚଳରୁ ୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତାପି ଜିଲ୍ଲାରେ ୧୧୩ଟି ରାସ୍ତାରେ ପାଣି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଗୁଜରାଟ ଭଳି ମୁମ୍ବାଇରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ଆଜି ମଧ୍ୟ ମୁମ୍ବାଇରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ମୁମ୍ବାଇ, ପୁଣେ, ରାଇଗଡ଼ ଓ ରତ୍ନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି। ମୁମ୍ବାଇର ମିଠି ନଦୀରେ ଏକ କୁମ୍ଭୀର ଚାଲି ଆସିଥିବା ଲୋକେ ଦେଖିଥିଲେ। ପୁଣେରେ ମଧ୍ୟ ପ୍ରବଳ ବର୍ଷାରୁ ତଳିଆ ଅଂଚଳରେ ପାଣି ଜମି ରହିଛି। ସତାରା ଜିଲ୍ଲାରେ ପ୍ରବଳ ବର୍ଷାରୁ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରଭାବିତ ହୋଇଛି। ଆସନ୍ତାକାଲି ମଧ୍ୟ ମହାରାଷ୍ଟ୍ର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିଲାଗି ଆସନ୍ତାକାଲି ଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି। ରତ୍ନଗିରି, ରାଇଗଡ଼, ସିନ୍ଦୁଦୁର୍ଗ, ପୁଣେ ଓ ସତାରା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି।