ମାଲକାନଗିରିରେ ବର୍ଷାର ତାଣ୍ଡବ; ଘର ଭାଙ୍ଗିଲା, ଚାଷ ବୁଡ଼ିଲା, ବଢ଼ିଲା ଲୋକଙ୍କ ଦୁର୍ଦ୍ଦଶା

ମାଲକାନଗିରି: ବର୍ଷା ବଢାଇ ଦେଲା ଦୁର୍ଦ୍ଦଶା । ମାଲକାନଗିରିରେ ଦୁଇ ଦିନ ଲଗାଣ ବର୍ଷା ପରେ ସ୍ଥିତି ବେହାଲ । ନିର୍ଧୁମ ବର୍ଷାରେ ଲୋକଙ୍କ ଘର ଭାଙ୍ଗି ମାଟିରେ ମିଶି ଥିବା ବେଳେ ରାସ୍ତା ଉପରେ ଜମିଛି ୫ ଫୁଟରୁ ଅଧିକ ପାଣି । ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ଯାଇଛି । ଭୟରେ ଲୋକେ ଉଚ୍ଚ ସ୍ଥାନ କିମ୍ବା ଛାତ ଉପରକୁ ଚାଲିଯାଇଛନ୍ତି । ଜଳ ଘେର ମଧ୍ୟରେ ଫସି ରହିଥିବା ୩ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ଟିମ୍ ଉଦ୍ଧାର କରିଛନ୍ତି । ଜିଲ୍ଲାପାଳ ବନ୍ୟା ପ୍ରଭାବିତ ପୋଟରୁ ଅଞ୍ଚଳ ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରି ଭୟଭୀତ ନହେବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମାଲକାନଗିରି ଜିଲ୍ଲାରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷାରେ ବେହାଲ ସ୍ଥିତି । ଅନେକଙ୍କ ବାସଗୃହ ଭାଙ୍ଗି ଯାଇଥିବା ବେଳେ ଶହ ଶହ ହେକ୍ଟର ଜମିରେ ପାଣି ଜମି ରହିଛି । ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରୁ ମାଲକାନଗିରିରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ୫ ଫୁଟର ପାଣି । କେବଳ ଜାତୀୟ ରାଜପଥ ନୁହେଁ, ବିଭିନ୍ନ ସ୍ଥାନରେ ପାଣି ଜମି ଯାତାୟାତ ଠପ ହୋଇଯାଇଛି । ସ୍ଥିତି ଏପରି ହୋଇଛି ଘରୁ ବାହାରିବା ବି ଅସମ୍ଭବ ହୋଇଯାଉଛି ।

ସ୍ଵାଭିମାନ ଅଞ୍ଚଳରେ ଥିବା ଯୋଡା ଆମ୍ଭ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ବର୍ଷା ପାଣି ପଶିଥିବା ବେଳେ ସ୍ବାସ୍ଥଶସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହୋଇଛି । ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପାଣି ଜମି ଯୋଗାଯୋଗ ବନ୍ଦ ହୋଇଯାଇଛି । ନିଜକୁ ସୁରକ୍ଷିତ ରଖିବା ପାଇଁ ଲୋକେ ଉଚ୍ଚା ସ୍ଥାନ କିମ୍ବା ଘରର ଛାତ ଉପରକୁ ଚାଲି ଯାଇଛନ୍ତି ।