ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା, ସୋମନାଥପୁରରେ କାନ୍ଥ ଭୁଶୁଡ଼ି ୩ ଆହତ

1 min read

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ସମଗ୍ର ମାଲକାନଗିରି ଜିଲ୍ଲା। ମାଲକାନଗିରିରୁ ଜୟପୁର ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ପାଙ୍ଗମା ପୋଲ ଉପରେ ତିନି ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଥିବା କାଙ୍କୁରୁକୋଣ୍ଡା, ଏମଭି-୯୦ ଓ ଏମଭି-୯୬ ପୋଲ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା, ମୋଟୁ ଓ ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ଭାରି ବର୍ଷା ଯୋଗୁଁ ସହରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଦୋକାନ ଓ ଘରେ ପାଣି ପଶିଛି । ବିଭିନ୍ନ ସାହି ଓ ବସ୍ତିରେ ମଧ୍ୟ ପାଣି ପ୍ରବାହିତ ହେଉଛି ।

କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ତୋଟାଗୁଡା ଗାଁରେ କାନ୍ଥ ଭୁଷୁଡି ତିନି ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ମାଲକାନଗିରି ଜିଲ୍ଲା ପୋଟେରୂରେ ବନ୍ୟା । ପୋଟେରୂ ନଦୀର ବନ୍ୟା ଜଳ ଗାଁ ଭିତରେ ପ୍ରବେଶ କରିଛି । ଲୋକଙ୍କ ଘର ଦ୍ବାର ଦୋକାନ ବଜାର ବନ୍ୟା ପାଣିର ବୁଡି ରହିଛି । ବର୍ଷା ଜାରି ରହିଥିବା ବେଳେ ସ୍ଥିତି ଆହୁରି ସାଙ୍ଘାତିକ ହେବାରେ ଆଶଙ୍କା ରହିଛି । ଲୋକେ ଘର ଦ୍ବାର ଛାଡି ପୋଟେରୂ ଥାନାର ଦୁଇ ମହଲା ଉପରେ ଆଶ୍ରୟ ନେଇଛନ୍ତି ।