ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ, ସ୍ଥିତି ମୁକାବିଲା ପାଇଁ ଏକନାଥ ସିନ୍ଦେଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

1 min read

ମୁମ୍ବାଇ: ମୌସୁମୀ ବର୍ଷାରେ ବେହାଲ ଅଧିକାଂଶ ରାଜ୍ୟ । ମୁଶଳଧାରାରେ ବର୍ଷା, ଲ୍ୟାଣ୍ଡସ୍ଲାଇଡ, ବନ୍ୟା ଯୋଗୁ ସ୍ଥିତି ସଙ୍ଗୀନ । ମହାରାଷ୍ଟ୍ରରେ ଅତି ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଜୁଲାଇ ୮ ତାରିଖ ଯାଏ ପୂରା ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘର ଆଗରେ ବର୍ଷା ପାଣି ଜମି ରହିଛି । ରେଲଓ୍ୱେ ଟ୍ରାକଗୁଡ଼ିକ ବର୍ଷା ପାଣିରେ ବୁଡ଼ି ରହିଥିବାରୁ ସେଣ୍ଟ୍ରାଲ ରେଲଓ୍ବେର କେତେକ ଟ୍ରେନ ବିଳମ୍ବରେ ଚାଲୁଛି । ଅନେକ ବସର ରୁଟ ବଦଳାଇ ଦିଆଯାଇଛି ।

ମୁମ୍ବାଇ ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ବର୍ଷା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ଗତ ୭ ଦିନ ମଧ୍ୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଶହ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୧୦ ଜିଲ୍ଲାରେ ୧୩ଟି NDRF ଓ ଦୁଇଟି SDRF ଟିମ୍ ମୁତୟନ ହୋଇଛନ୍ତି । ସେପଟେ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍କୁଲ କଲେଜ ଆଜି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାଙ୍ଗାଲୁରୁରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି । ରେସ୍କ୍ୟୁ ଅପରେସନ ଜୋରଦାର କରିବାକୁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ଆଲର୍ଟ କରାଯାଇଛି ।