ବର୍ଷାରେ ବେହାଲ ହେବ ଉତ୍ତର ଏବଂ ଉପକୂଳ ଓଡ଼ିଶା

ଭୁବନେଶ୍ବର :  ଟ୍ରପଲାଇନ ପ୍ରଭାବରେ ଆଜି ଭିଜିବ ସାରା ଓଡ଼ିଶା । ୧୨ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବେହାଲ ହେବ ଉତ୍ତର ଏବଂ ଉପକୂଳ ଓଡ଼ିଶା । ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାବେଳେ କୁଆପଥର ବର୍ଷା ନେଇ ସତର୍କ କରାଯାଇଛି । ବର୍ଷା ସମୟରେ ଘଣ୍ଟାକୁ ୪୦ରୁ ୫୦କିମି ବେଗରେ ବହିବ ପବନ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିପଦପୂର୍ଣ୍ଣ ବଜ୍ରପାତ ସମ୍ଭାବନା ରହିଛି ।

ଆସନ୍ତା ଏପ୍ରିଲ ୨ ତାରିଖରେ ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ କେତେ ପ୍ରଭାବ ପକାଇବ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କାଳବୈଶାଖୀ ବର୍ଷା ଜାରି ରହିବ । ସେପଟେ ବଜ୍ରପାତ ମୁକାବିଲା ନେଇ ସତର୍କ ରହିବା ସହ ଲୋକଙ୍କୁ ସଚେତନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି।