ପ୍ରବଳ ବର୍ଷାରେ ଘାଇଲା ପାହାଡୀ ରାଜ୍ୟ, ୧୮ ଜଣଙ୍କ ମିଳୁନି ପତ୍ତା

ଶିମଲା: ପାହାଡୀ ଇଲାକାରେ ବର୍ଷା ତାଣ୍ଡବ  । ହିମାଚଳ ପ୍ରଦେଶରେ ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ବାଦଲଫଟା ବର୍ଷାରେ ମଣ୍ଡି, ଚମ୍ବା ଏବଂ କାଙ୍ଗରା ଜିଲ୍ଲାରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି  । ୬ ଜଣଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳୁନାହିଁ ।

ମୃତକଙ୍କ ମଧ୍ୟରେ ମଣ୍ଡି ଜିଲ୍ଲାର ଗୋଟିଏ ପରିବାରର ୮ ଜଣ ଥିବା ଜଣାପଡିଛି  । ସେପଟେ ଲଗାଣ ବର୍ଷାରେ ଭାସିଗଲା ରେଳ ଓଭରବ୍ରିଜ  । ଏହି ବ୍ରିଜ ଯୋଗୁଁ ହିମାଚଳ ଏବଂ ପଞ୍ଜାବ ମଧ୍ୟରେ ଯୋଗାଯୋଗ ସମ୍ଭବ ହୋଇଥାଏ  । ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି  । ସେପଟେ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ଘଟି ଅନେକ ଘର ଓ ଦୋକନ ଭାଙ୍ଗି ଯାଇଛି  । ମଣ୍ଡିର ଥୁନାଗ ବଜାରରେ ୬୦ ଦୋକାନ ଏବଂ ୩୦ଟି ଘର ଭାଙ୍ଗିଯାଇଥିବା ଜଣାପଡିଛି  ।

ବର୍ଷାରେ ଉବୁଟୁବୁ ହିଲ୍‌ ଷ୍ଟେସନ ମନାଲି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି। ପାଣିର ପ୍ରଖର ସ୍ରୋତରେ ଗାଡ଼ିମୋଟର ବି ଭାସିଯାଇଥିବା ଦେଖିବାକୁ ମିଳିଛି । କିନୌରରେ ମଧ୍ୟ ଜୋରଦାର କୁଆପଥର ବର୍ଷା ହୋଇଛି । ଏଥିରେ ଅନେକ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି  ।

ସେହିପରି ପାହାଡୀ ରାଜ୍ୟ ଉତ୍ତରାଖଣ୍ଡ ମଧ୍ୟ ବନ୍ୟା ତାଣ୍ଡବରୁ ବର୍ତ୍ତି ପାରିନାହିଁ  । ବନ୍ୟାରେ ଭାସିଯାଇ ୪ ଜଣ ପ୍ରାଣ ହରାଇ ଥିବାବେଳେ ୧୨ ଜଣଙ୍କ ମିଳୁନି ପତ୍ତା  । ଅନେକ ନଦୀରେ ବନ୍ୟା ଆସିବା ସହ ଭାଙ୍ଗିଯାଇଛି ପୋଲ ଆଉ ରାସ୍ତା  । ୪ ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ବାୟୁସେନା ହେଲିକପ୍ଟର  । ତିନି ଜାତୀୟ ରାଜପଥ ସମେତ ୨୫୦ଟି ମାର୍ଗରେ ଗାଡି ଚଳାଚଳ ବନ୍ଦ ରହିଛି ।