ଜାଳିବ ଓଡ଼ିଶା, ଏପ୍ରିଲ ପହିଲାରୁ ପ୍ରବଳ ତାତି

ଭୁବନେଶ୍ବର: ଏପ୍ରିଲ ପହିଲାରୁ ପ୍ରବଳ ତାତି। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶାରେ ସ୍ଥିତି ହେବ ଅସମ୍ଭାଳ। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟରେ ଖରାବର୍ଷାର ଖେଳ ଚାଲିଛି। ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ସମେତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ଜନିତ ବର୍ଷା ହୋଇଛି। ଗତକାଲି ରାଜଧାନୀ ଭୁବନେଶ୍ବର ସମେତ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ପ୍ରଭାବରେ ତାପମାତ୍ରା ସ୍ଥିର ରହିଛି। ତେବେ କାଲିଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ। ବିଶେଷ କରି ୨୮ ତାରିଖରୁ ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ ଦେଖାଦେବ। ଏପ୍ରିଲ ପ୍ରଥମ ସପ୍ତାହରୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି।

ଏପ୍ରିଲ ପହିଲାରୁ ଗ୍ରୀଷ୍ମ ପ୍ରବାହ। ଉପକୂଳ ଅପେକ୍ଷା ଅଧିକ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ବଢିବ ତାତି। ଅଧିକାଂଶ ସହରର ତାପମାତ୍ରା ୪୦ ଅତିକ୍ରମ କରିବ। ୨୮ ତାରିଖରୁ ରାଜ୍ୟରେ ଦେଖାଦେବ ହଟ୍ ଓ୍ବେଦର କଣ୍ଡିସନ। କାଲିଯାଏଁ ସ୍ଥାନେ ସ୍ଥାନେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ସତର୍କତା। ଆଇଏମ୍ଡିର ବିସ୍ତାରିତ ଆକଳନ ଅନୁସାରେ ଆସନ୍ତା ଏପ୍ରିଲ ମାସ ଆରମ୍ଭରୁ ଅସମ୍ଭାଳ ହେବ ତାତି। ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଗଜପତି ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା। ରାଜ୍ୟରେ ମେଘମୁକ୍ତ ଆକାଶ ସମେତ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିବ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏପ୍ରିଲ ଏବଂ ମେ ମାସରେ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ ହେବ ବୋଲି ସତର୍କତା ଜାରି କରାଯାଇଛି।

ସେପଟେ ପଶ୍ଚିମା ଝଡ ପ୍ରଭାବରେ ଗତ କାଲି ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି। ଆଜି ମଧ୍ୟ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ନୟାଗଡ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ଜନିତ ବର୍ଷା ହୋଇଛି। ସର୍ବାଧିକ ବର୍ଷା ମୟୁରଭଞ୍ଜରେ ୯୬ ମିଲିମିଟର ରେକର୍ଡ ହୋଇଥିବା ବେଳେ ବରଗଡ ଭଟ୍ଟଲିରେ ୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଆସନ୍ତା କାଲିଠାରୁ ରାଜ୍ୟରେ ଶୁଖିଲା ପାଗ ସହ ମେଘମୁକ୍ତ ଆକାଶ ରହିବ। ୨୮ ତାରିଖରୁ ପୁଣି ତାତି ବଢିବ। ଅଧିକାଂଶ ସହରର ତାପମାତ୍ରା ୩୫ ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ। ବିଶେଷ କରି ନୟାଗଡ, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ନୂଆପଡା, ବଲାଙ୍ଗିର, ପାରଳାଖେମୁଣ୍ଡି ସହରର ତାପମାତ୍ରା ୩୯ ଡିଗ୍ରୀ ରହିବ। ଫଳରେ ରାଜ୍ୟରେ ହଟ୍ ଓ୍ବେଦର କଣ୍ଡିସନ୍ ଦେଖାଦେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ କାଲି ରାଜ୍ୟ ଉପରେ ସକ୍ରିୟ ଥିବା ଟ୍ରପ୍ଲାଇନ୍ ଦୁର୍ବଳ ହୋଇଥିବାରୁ ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ନାହିଁ। କେବଳ ପଶ୍ଚିମା ଝଡ ସକ୍ରିୟ ଥିବାରୁ କିଛି ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରାଯାଇଛି।