ରାଜଧାନୀରେ କୁହୁଡ଼ିର ଘେରାବନ୍ଦୀ, ୫ ହତ ଦୂରକୁ ଦିଶୁନି ରାସ୍ତା

ଭୁବନେଶ୍ବର: ଶୀତୁଆ ସକାଳକୁ ଘନ କୁହୁଡ଼ି । ରାଜଧାନୀରେ ଛାଇ ଯାଇଛି ଘନ କୁହୁଡ଼ି । ଏମିତି ଲାଗୁଛି ଯେମିତି କୁହୁଡ଼ି ରାଜଧାନୀ ଭୁବନେଶ୍ବରକୁ ଘେରାବନ୍ଦୀ କରି ରଖିଛି । ୫ ହାତ ଦୂରକୁ ମଧ୍ୟ ଦେଖିବା କଷ୍ଟ । ବିଶେଷ କରି ଜରୁରୀ କାମରେ ସକାଳୁ ସକଳୁ ବାହାରି ଥିବା ଲୋକଙ୍କ ସମସ୍ୟା କହିଲେ ନସରେ । ଆଗକୁ କିଛି ଦିଶୁ ନଥିବାରୁ ଗାଡ଼ ଚଲାଇବା ମଧ୍ୟ କଷ୍ଟକର ହୋଇପଡୁଛି ।

ବର୍ଷା କମିବା ପରେ ଭୁବନେଶ୍ବର ସମେତ ସାରା ରାଜ୍ୟରେ ଶୀତ ବଢିଛି । କୋହଲା ପବନ ସାଙ୍ଗକୁ ହାଡଭଙ୍ଗା ଶୀତରେ ଲୋକେ ଅସ୍ତବ୍ୟସ୍ତ । ଏହାସହ ଘନ କୁହୁଡି ସ୍ଥିତିକୁ ଆହୁରି ସଙ୍ଗୀନ କରିଦେଇଛି । ରାଜଧାନୀ ରାସ୍ତା କଡ଼ରେ ଷ୍ଟ୍ରିଟ ଲାଇଟ୍ ଜଳୁଛି ସତ, ହେଲା ଏହା ଅଦୃଶ୍ୟ କହିଲେ ଚଳେ । କାରଣ କୁହୁଡିର ଘନତ୍ବ ଏତେ ଅଧିକ ଯେ, ଷ୍ଟ୍ରିଟ ଲାଇଟ୍ ତଳେ ଗାଡି ଧରି ଯିବା ବେଳେ ଏହା ଜଳୁଛି କି ନାହିଁ ଜାଣି ହେଉନାହିଁ । ଭଲରେ ରାସ୍ତା ଦିଶୁ ନଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି ।

ଏପଟେ ଏମିତି କୁହୁଡି ପ୍ରକୃତି ପ୍ରେମୀଙ୍କୁ ଆମୋଦିତ କରିଛି । ପୂରା ପରିବେଶ ଯେମିତି ଶୀତରୁ ରକ୍ଷା ପାଇବା ପାଇଁ ଧଳା କୁହୁଡିର ଚାଦର ଘୋଡାଇ ହୋଇ ଶୋଇଯାଇଛି । ସବୁଠି ଧୂଆଁ ଧୂଆଁ ପରିବେଶ । ଗଛଲତାକୁ ଢାଙ୍କି ରଖିଛି କୁହୁଡିର ଚାଦର । କାକର ବିନ୍ଦୁ ରାସ୍ତାକଡ଼ ଛୋଟବଡ଼ ଗଛ ଓ ଘାସରେ ଲାଗିବାର ଦୃଶ୍ୟ ପରିବେଶକୁ ଆହୁରି ମନୋରମ କରିଦେଉଛି ।

Leave a Reply