ଇ-ବାଇକ୍ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ, ୮ଜଣ ଜୀବନ୍ତ ଦଗ୍ଧ

1 min read

ହାଇଦ୍ରାବାଦ: ହାଇଦ୍ରାବାଦର ସିକନ୍ଦରାବାଦ୍ ସହରରେ ଥିବା ଏକ ଇ-ବାଇକ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ । ୪ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗି ୮ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପ୍ରାୟ ୧୫ଜଣ ଗୁରୁତର ହୋଇଛନ୍ତି । ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଇଲେକ୍ଟ୍ରିକ ସ୍କୁଟର ଶୋ ରୁମ ଚାର୍ଜିଂ ପଏଣ୍ଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତଳ ମହଲାରୁ ନିଆଁ ଲାଗିଥିବା ବେଳେ ଏହା ଉପର ମହଲାକୁ ବ୍ୟାପି ଯାଇଥିଲା । ବିଲ୍ଡିଂରେ ଏକ ହୋଟାଲ ଓ ରେଷ୍ଟୁରାଣ୍ଟ ଚାଲୁଥିବା ବେଳେ ପ୍ରବଳ ନିଆଁ ଦେଖି ଲୋକମାନେ ଭୟରେ ତଳକୁ ଡେଇଁ ପଡ଼ିଥିଲେ ।

ବିଲ୍ଡିଂ ଭିତରେ ୨୪ ଜଣ ଫସି ରହିଥିବା ବେଳେ ୮ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଝରକା ପଟେ କ୍ରେନ ଯୋଗେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ମୃତକ ଓ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି ।