ପ୍ରୟାଗରାଜର ମହାକୁମ୍ଭମେଳାରେ ଆଜି ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼

ପ୍ରୟାଗରାଜ: ଆଜି ପବିତ୍ର ମକର ସଂକ୍ରାନ୍ତି। ପ୍ରୟାଗରାଜ କୁମ୍ଭମେଳାରେ ଅନୁଷ୍ଠିତ ହୋଇଛି ମହାସ୍ନାନ। ଗତକାଲି ଆରମ୍ଭ ହୋଇଥିବା ଉତ୍ତର ପ୍ରଦେଶ ପ୍ରୟାଗରାଜର ଏହି ମହାକୁମ୍ଭମେଳାରେ ଆଜି ମଧ୍ୟ ଅଧିକ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ଗତକାଲି ପ୍ରଥମ ଦିନରେ ପ୍ରାୟ ଦେଢ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଜି ମଧ୍ୟ ଗତକାଲି ତୁଳନାରେ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସମ୍ଭାବନା ରହିଛି। ଆସନ୍ତା ଫେବୃଆରୀ ୨୬ ଯାଏ ଚାଲିବ କୁମ୍ଭ ମେଳା। ଏହି ସମୟ ମଧ୍ୟରେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିବା ଆଶା କରାଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଛନ୍ତି ୩୦ ହଜାରରୁ ଅଧିକ ପୋଲିସ। ସମଗ୍ର କୁମ୍ଭମେଳା ଅଞ୍ଚଳରେ ଲଗାଯାଇଛି ୨ ହଜାର ୭୦୦ ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ୟାମେରା ।

ଏହା ସହ ଅଣ୍ଡରୱାଟର ଡ୍ରୋନ ବ୍ୟବସ୍ଥା ବି ପ୍ରଥମ ଥର ଲାଗି କରାଯାଇଛି। ଗଙ୍ଗା, ଯମୁନା, ସରସ୍ବତୀଙ୍କ ସଂଗମ ସ୍ଥଳୀରେ ଆୟୋଜିତ ଉତ୍ସବରେ ସାମିଲ ହୋଇଛନ୍ତି ସାଧୁ, ସନ୍ଥ ଓ ଦେଶ ବିଦେଶର ଶ୍ରଦ୍ଧାଳୁ। ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ସହ ଏନଡିଆରଏଫ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ବି ମୁତୟନ ହୋଇଛନ୍ତି। ୧୨୫ରୁ ଅଧିକ ଆମ୍ବୁଲାନ୍ସ ଓ ୭ଟି ରିଭର ଆମ୍ବୁଲାନସ ନିୟୋଜିତ ରହିଛି। କୁମ୍ଭମେଳା ଅବସରରେ ୧୩ ହଜାର ଟ୍ରେନର ବ୍ୟବସ୍ଥା କରାଯାଇଛି। ୧୪୪ ବର୍ଷ ପରେ ଏହି ମହା ସଂଯୋଗ ଘଟିଛି। ଗୋଟିଏ ସ୍ଥାନରେ ଗୋଟିଏ ଘରେ ୪ଟି ଗ୍ରହ ଅର୍ଥାତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଅବସ୍ଥାନ କରିବେ। ଏହି ସମୟରେ ସ୍ନାନ କଲେ ବୈକୁଣ୍ଠ ପ୍ରାପ୍ତି ବିଶ୍ବାସ ରହିଛି।