ସାରା ରାଜ୍ୟରେ ଶୀତ ଲହରୀ, ସୋନପୁରରେ ପାରା ୯ ଡିଗ୍ରୀ ତଳେ !

1 min read
Sonepur

ସୋନପୁର: ସୁବର୍ଣ୍ଣପୁରରେ ଖସୁଛି ପାରଦ । ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ ତଳେ ରହୁଛି ସାରା ସହର । ଲୋକେ ପ୍ରାତଃ ଭ୍ରମଣ ସହିତ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି । ବିଗତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ଶୀତରେ ରେକର୍ଡ ଭାଙ୍ଗିଥିବା ବେଳେ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଛି । ହେଲେ ଶୀତର ପ୍ରକୋପ ଆରମ୍ଭ ହୋଇସାରିଲାଣି ।

ଅନ୍ୟପଟେ ସାରା ରାଜ୍ୟରେ ମଧ୍ୟ ଶୀତ ଲହରି ଜାରି ରହିଛି । ଚାରିଆଡେ କୁହୁଡିମୟ ପରିବେଶ । ଗତ କିଛି ଦିନ ହେଲା ରାଜ୍ୟରେ ବଢିବାରେ ଲାଗିଛି ଶୀତ । ଦେଢ ଡିଗ୍ରୀ ତଳକୁ ଖସି ଆସୁଛି ସବର୍ନିମ୍ନ ତାପମାତ୍ରା । ଗତ ୨୪ ଘଣ୍ଟାରେ ଓଡ଼ିଶାର ୨ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ ହୋଇଥିବା ବେଳେ ମୋଟ ୧୩ ସହର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।

ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଦାରିଙ୍ଗବାଡ଼ିରେ ବି ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଥିଲା । ଅନ୍ୟପଟେ ୧୧ ସହର ତାପମାତ୍ରା ୧୫ଡିଗ୍ରୀ ତଳକୁ ଖସିଆସିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା ଆସନ୍ତା ୧୨ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ୨୪ଘଣ୍ଟାରେ ଗଭୀର ଅବପାତ ସାମୁଦ୍ରିକ ବାତ୍ୟାର ରୂପ ନେଇ ଶ୍ରୀଲଙ୍କା ଉପକୂଳ ଦେଇ ଅତିକ୍ରମ କରିବ । ତେବେ ଏହାର ପ୍ରଭାବ ଭାରତ ଉପରେ ରହିବ କି ନାହିଁ ତାହା ବୁଧବାର ଦିନ ସ୍ପଷ୍ଟ କରିବ ପାଣିପାଗ ବିଭାଗ ।

Leave a Reply