spot_img

Latest Posts

ଉତ୍ତର ଭାରତରେ ଏଥର ପ୍ରବଳ ଗରମ୍ ହେବ

ନନ୍ଦିଘୋଷ ବ୍ୟୁରୋ: ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ଗରମ ହେବାର ସମ୍ଭାବନା କମ୍  ରହିଛି । ପୃଥିବୀର ଅଧିକାଂଶ ସ୍ଥାନ ତଥା ଉତ୍ତର ଭାରତରେ ପ୍ରଚଣ୍ଡ ଗରମ ରହିବ। ତେବେ ଓଡ଼ିଶାରେ ବିଶେଷ ଗରମ ହେବା ସମ୍ଭାବନା କମ୍ ବୋଲି ଆକଳନ କରିଛନ୍ତି ଓୟୁଏଟିର ପୂର୍ବତନ କୁଳପତି ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ। ଗତ ବର୍ଷ ସବୁଠୁ ଉତ୍ତପ୍ତ ବର୍ଷ ଥିଲା । ବିଭିନ୍ନ ମଡେଲରୁ ଜଣାପଡୁଛି ଯେ, ଚଳିତ ବର୍ଷ ତାପମାତ୍ରା ସାମାନ୍ୟ କମି ଦ୍ବିତୀୟ ବା ତୃତୀୟ ଉତ୍ତପ୍ତ ବର୍ଷ ହୋଇପାରେ । ଉତ୍ତର ଭାରତରେ ବିଶେଷ କରି ଉତ୍ତର ପଶ୍ଚିମ ଭାରତରେ ଗରମ ସ୍ବାଭାବିକଠାରୁ ଅଧିକ ହେବାର ସମ୍ଭାବନା ଥିବା ବେଳେ ଓଡ଼ିଶା ଓ ଦକ୍ଷିଣ ଭାରତରେ ଗରମ ସ୍ବାଭାବିକ ବା ସ୍ବାଭାବିକଠାରୁ କମ ରହିପାରେ । ଗତ ଫେବୃଆରୀରେ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଲାନିନା ରହିଥିଲା ।

ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ଏହା ସ୍ବାଭାବିକ ରହିବାର ସମ୍ଭାବନା ରହିଛି । ଅନ୍ୟ କିଛି ଜଳବାୟୁ ଜନିତ କାରଣରୁ ଓଡ଼ିଶାରେ ମାର୍ଚ୍ଚରେ ଗରମ ସ୍ବାଭାବିକ ଠାରୁ ଅଧିକ ହେବାର ସମ୍ଭାବନା ୪୦ ପ୍ରତିଶତ ଥିବା ବେଳେ ଏପ୍ରିଲ ଓ ଜୁନରେ ସ୍ବାଭାବିକ ରହିବ । ମେ ମାସରେ ସ୍ବାଭାବିକ ବା ସ୍ବାଭାବିକଠାରୁ କମିବାର ୪୦ ପ୍ରତିଶତ ସମ୍ଭାବନା ରହିଛି ବୋଲି କହିଛନ୍ତି ପଶୁପାଳକ। ତାପମାତ୍ରା ଅଧିକ ନ ହେବାର ପ୍ରଥମ କାରଣ ହେଉଛି ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ । ଏପ୍ରିଲ ମାସରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଓଡ଼ିଶା ସଂଲଗ୍ନ ବଙ୍ଗୋପ ସାଗରରେ ତାପମାତ୍ରା ଅଧିକ ରହିବାର ସମ୍ଭାବନା ଥିବାରୁ ଉପକୂଳ ବାୟୁମଣ୍ଡଳ ଅସ୍ଥିର ରହି ବର୍ଷା କରିବା ସହ ପଶ୍ଚିମା ଗରମ ପବନ ରାଜ୍ୟକୁ ସିଧା ବହିବ ନାହିଁ ।

ସେପଟେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଉପକୂଳ ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରୀୟ ପବନ ବହିବ । ରାତିରେ ପଶ୍ଚିମା ପବନ ପ୍ରଭାବରେ ସକାଳୁ ସକାଳୁ ତାପମାତ୍ରା କମ ରହିବ । ୧୨ ତାରିଖ ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ଗରମ ସ୍ବାଭାବିକଠାରୁ ଅଧିକ ରହିବ । ଦିନ ଗୋଟାଏ ପରେ ମଝିରେ ମଝିରେ ଆଂଶିକ ବା ସାମାନ୍ୟ ମେଘୁଆ ପାଗ ଯୋଗୁଁ ତାପମାତ୍ରା କମିବାର ସମ୍ଭାବନା ରହିଛି ବୋଲି ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

Latest Posts

Don't Miss