ନେହେରୁଙ୍କୁ ନେଇ ଏମିତି କ’ଣ କହିଲେ ଅନୁରାଗ ଯେ,ସଂସଦରେ ହଙ୍ଗାମା ସୃଷ୍ଟି ହେଲା ?

1 min read

ନୂଆଦିଲ୍ଲୀ – କରୋନା କଟକଣାରେ ଚାଲିଥିବା ସଂସଦର ମୌସୁମୀ ଅଧିବେଶନ ରାଜନୈତିକ ଦୃଷ୍ଟିକୋଣରୁ ରୋଚକ ହେବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର ସଂସଦର ନିମ୍ନସଦନ ଲୋକ ସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ପିଏମ୍ କେୟାର ଫଣ୍ଡକୁ ନେଇ ହୋଇଥିବା ଆଲୋଚନାରେ ପରସ୍ପରକୁ କଟୁ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ । ପରିସ୍ଥିତି ଏପରି ଅଣାୟତ୍ତ ହେବାକୁ ଲାଗିଲା ଯେ, ବାଚସ୍ପତି ଓମ ବିର୍ଲା ଶେଷରେ ଗୃହକୁ ଅଧ ଘଣ୍ଟା ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପିଏମ୍ କେୟାର ଫଣ୍ଡ ସମ୍ପର୍କରେ ତଥ୍ୟ ରଖୁଥିବା ବେଳେ ଏପରି କିଛି କହିଥିଲେ ଯାହା କଂଗ୍ରେସ ନେତା ଅଧିର ଏବଂ ଅନ୍ୟ ବିରୋଧୀ ଦଳକୁ ଖରାପ ଲାଗିଥିଲା । ଅନୁରାଗ କହିଥିଲେ ଯେ, ସେ ରାଷ୍ଟ୍ରୀୟ ରାଜକୋଷରୁ ଲାଭ ଉଠାଇଥିବା ଗାନ୍ଧୀ ପରିବାରର ସଦସ୍ୟଙ୍କ ନାଁ ମଧ୍ୟ ସାର୍ବଜନୀନ କରିବେ ।  ସେ କହିଥିଲେ ଯେ  ନେହେରୁ ରାଜାରାଜୁଡାଙ୍କ ଭଳି ୧୯୪୮ରେ ପିଏମ୍ ନ୍ୟାଶନାଲ ରିଲିଫ ଫଣ୍ଡ୍ ବନାଇବା ପାଇଁ ଆଦେଶ ଦେଇଥିଲେ ।  କିନ୍ତୁ ଏହାର ପଂଜିକରଣ ଆଜି ପର୍ଯ୍ୟନ୍ତ ହୋଇନାହିଁ । ଏହାକୁ  FCRA କ୍ଲିୟରାନ୍ସ କେମିତି ମିଳିଲା ?  ବାସ୍ ଏହି କଥା ନିଆଁରେ ଘିଅ ଢାଳିବା ପରି କଂଗ୍ରେସ ନେତାଙ୍କୁ ଉତ୍ତେଜିତ କରିଦେଇଥିଲା । କଳି କେବଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ସୀମିତ ରହି ନ ଥିଲା ।

ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀ ମଧ୍ୟ ଏହି ବିବାଦ ଭିତରକୁ ପସିଥିଲେ । ଏଥିସହିତ ବାଚସ୍ପତି ବିର୍ଲାଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନ ଥିଲେ ।  କଲ୍ୟାଣ କହିଥିଲେ ଯେ, ବାଚସ୍ପତି ଭାଜପା ସଦସ୍ୟମାନଙ୍କୁ ବିଭିନ୍ନ ସମୟରେ ସହଯୋଗ କରୁଛନ୍ତି । ବିରୋଧୀମାନେ କହିବା ବେଳେ ତାଙ୍କୁ ରୋକୁଛନ୍ତି । ବାଚସ୍ପତିଙ୍କ ପ୍ରତି ଯଦି ଏହି କଟୁ ଶବ୍ଦ ପାଇଁ ତାଙ୍କୁ ନିଲମ୍ବିତ କରିଦିଆଯାଏ, ତେବେ ସେ ଏଥି ପାଇଁ ପ୍ରସ୍ତୁତ ଥିବା କଲ୍ୟାଣ କହିଥିଲେ । କଲ୍ୟାଣଙ୍କୁ ଅଧିର ରଞ୍ଜନ ସମର୍ଥନ କରିଥିଲେ । ଗୃହ ମଧ୍ୟରେ କେତେକ ନବ ନିର୍ବାଚିତ ଏମ୍ ପି ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ଅପମାନସୂଚନ ଏବଂ ଅଭଦ୍ରୋଚିତ ବ୍ୟବହାର କରୁଥିବା ଅଧିର ଏବଂ କଲ୍ୟାଣ କହିଥିଲେ ।

ପିଏମ୍ କେୟାର ନେଇ କ’ଣ କହିଲେ ଅନୁରାଗ

ଅନୁରାଗ କହିଥିଲେ ଯେ, କେବଳ ବିରୋଧ କରିବା ଦୃଷ୍ଟିରୁ ବିରୋଧୀମାନେ ପିଏମ୍ କେୟାର ନେଇ ସମାଲୋଚନା କରୁଛନ୍ତି । ଏଥିରେ କୌଣସି ଆଧାର ନାହିଁ । ପିଏମ୍ କେୟାର ନେଇ ସୁପ୍ରିମକୋର୍ଟ ମଧ୍ୟ ନିଜର ମତ ଶୁଣାଇ ସାରିଛନ୍ତି । ଏହି ପାଣ୍ଠିକୁ କେଉଁ ମାନେ ଦାନ ଦେଇଛନ୍ତି, ତାହା ଯଦି ବିରୋଧୀ ଶୁଣିବାକୁ ଚାହାଁନ୍ତି, ତେବେ ଶୁଣନ୍ତୁ । ଏହିଭଳି ଭାବେ ଭାବବିହ୍ୱଳିତ ହୋଇ ଅନୁରାଗ କହିଥିଲେ ଯେ, ପ୍ରୟାଗରାଜର ୯ ବର୍ଷର ଅନୁଷ୍କା ଓ ୬ ବର୍ଷର ଯୁବରାଜ ୩୦୦ ଟଙ୍କା ଦେଇଛନ୍ତି । ଏହିପରି ଭାବେ ବିଭିନ୍ନ ପିଲାମାନଙ୍କ ଯୋଗଦାନକୁ ନେଇ ବୟାନ ଦେବା ବେଳେ ବିରୋଧୀମାନେ ହଙ୍ଗାମା କରିଥିଲେ । ଏହାକୁ ଉପଲକ୍ଷ୍ୟ କରି ଅନୁରାଗ କହିଥିଲେ, ଯଦି ପିଲାମାନଙ୍କ ନାଁ ଶୁଣିବାକୁ ବିରୋଧୀଙ୍କ ଧୈର୍ଯ୍ୟ ନାହିଁ, ତେବେ ଲାଜ ଲାଗିବା କଥା ବୋଲି ଅନୁରାଗ କହିଥିଲେ । ପିଏମ୍ କେୟାର ଫଣ୍ଡ ସାମ୍ବିଧାନିକ ଭାବେ ଏକ ସାର୍ବଜନୀନ ଚାରିଟେବଲ ଟ୍ରଷ୍ଟ । କଂଗ୍ରେସ କେବଳ ଗାନ୍ଧୀ ପରିବାର ପାଇଁ ଟ୍ରଷ୍ଟ କରିଥିଲା, ଦେଶ ପାଇଁ ନୁହେଁ ବୋଲି ଅନୁରାମ କହିଥିଲେ ।

 

Leave a Reply