ଦିନ ୧୨ଟା ସୁଦ୍ଧା ରାଜଧାନୀରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

1 min read

ଭୁବନେଶ୍ୱର: ୪୦ ଡିଗ୍ରୀ ଅତିକ୍ରମ କଲା ରାଜଧାନୀ ଭୁବନେଶ୍ବରର ତାପମାତ୍ରା । ଦିନ ୧୨ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୦.୨ ଡିଗ୍ରୀ ରହିଛି । ରାଜଧାନୀ ସମେତ ସାରା ରାଜ୍ୟରେ ଅସହ୍ୟ ଗରମ ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗ୍ରୀଷ୍ମ ପ୍ରବାହରେ ଆହୁରି କଲବଲ ହେବ ଜନଜୀବନ । ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବନି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଉପକୂଳରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବନି ।

ଶନିବାର ମଧ୍ୟ ୪୦ଡିଗ୍ରୀ ଉପରେ ଥିଲା ତାପମାତ୍ରା । ପାଣିପାଗର ପୂର୍ବାନୁମାନ ଯାହା, ବର୍ତ୍ତମାନ ବର୍ଷାର ଆଶା କ୍ଷୀଣ । ଶନିବାର ନିଆଁ ବର୍ଷିଛି । ଆଗକୁ ଆହୁରି ଭୟଙ୍କର ରୂପ ନେବ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ବଢ଼ିଯିବ । ଉପକୂଳ ୪୦-୪୨ ଓ ଆଭ୍ୟନ୍ତରୀଣ ଓଡ଼ିଶା ୪୩-୪୬ ଡିଗ୍ରୀ ତାପମାତ୍ରା ରହିବ । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏମିତି ଅସମ୍ଭାଳ ତାତି ଜାରି ରହିବ । ଗ୍ରୀଷ୍ମ ପ୍ରବାହ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟବାସୀଙ୍କୁ ସତର୍କ କରାଯାଇଛି । ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ଭିତରେ ପଦାକୁ ବାହାରିବାକୁ ଥିଲେ ଘରୁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ଆସନ୍ତାକାଲିଠୁ କିଛିଜିଲ୍ଲା ପାଇଁ ହିଟୱେଭ୍ ସତର୍କତା ୨୮ତାରିଖ ଯାଏ ଜାରି ହୋଇଛି । ଓଡ଼ିଶା ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହ ହେଉଥିବାରୁ ତାତି ବଢୁଛି । ଆସନ୍ତାକାଲି ପାଇଁ ସୋନପୁର, ବୌଦ୍ଧ ଓ ବଲାଙ୍ଗୀରକୁ ସତର୍କତା ଜାରି ହୋଇଥିବାବେଳେ ୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ ଏବଂ ୨୭ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ, ଓ କଳାହାଣ୍ଡିକୁ ଜାରି ହୋଇଛି ହିଟଓ୍ବେଭ୍ ।