ତାତିରୁ ନାହିଁ ଆଶ୍ୱସ୍ତି, ଆଉ ୨ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ବାରିପଦାରୁ ଭୁବନେଶ୍ୱର, ସୁନ୍ଦରଗଡ଼ରୁ ସୋନପୁର, କଳାହାଣ୍ଡିରୁ କଟକ ସବୁଠି ପାରଦ ଉପରମୁହାଁ । ଏଭଳି ଖରା ଆଉ ୨ ଦିନ ଲାଗି ରହିବ । ଏନେଇ ୨୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ସମୟରେ ଖରା ଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଆଦି ୨୧ ଜିଲ୍ଲାକୁ ପ୍ରବଳ ଖରା ନେଇ ସତର୍କ ସୂଚନା ଦିଆଯାଇଛି ।
୩ରୁ ୪ ତାରିଖ ଦୁଇଦିନ ଧରି କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୩ ତାରିଖ ଲାଗି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କମି ବେଗରେ ପବନ ବହିପାରେ । ସେହିଭଳି ୪ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଆଗାମୀ ୨୪ ଘଣ୍ଟା ଯାଏ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ଓଡ଼ିଶାର ବାରିପଦା ସହର ୪୪.୬ ଡିଗ୍ରୀ ସହ ଦୁନିଆର ଉତ୍ତପ୍ତ ସହର ଭାବେ ଉଭା ହୋଇଥିଲା ।