ତାତିରୁ ନାହିଁ ନିସ୍ତାର, ୪୪.୫ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବୌଦ୍ଧ

1 min read
Heat Wave To Continue In Odisha Yellow Alert Issued

ଭୁବନେଶ୍ୱର: ଏବେ ତାତିରୁ ମିଳିବନି ନିସ୍ତାର । ଆଜି ରାଜ୍ୟର ୨୨ ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି । ୯ ସହରରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିଛି । ୪୪.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ବୌଦ୍ଧ । ଝାରସୁଗୁଡ଼ାରେ ପାରଦ ୪୩.୯ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୪୩.୮ ଡିଗ୍ରୀ, ସୋନପୁରରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଅନୁଗୁଳ ଓ ସମ୍ବଲପୁରରେ ୪୩.୧ ଡିଗ୍ରୀ ଓ ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି ।

ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଓ ଉଚ୍ଚ ସୌରତାପ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହି ସମୟରେ ଦିନର ସର୍ବାଧିକ ତାପମାତ୍ରା କିଛି ସ୍ଥାନରେ ୨ ଡିଗ୍ରୀ ଯାଏ ବଢ଼ିଯିବ । ଉପକୂଳ ଓଡ଼ିଶାରେ ଏଭଳି ସ୍ଥିତି ଆଉ ୨ ଦିନ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ ।

ମେ’ ୧ ଯାଏ ହିଟ୍ ୱେଭ ନେଇ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି । ଖରା ପାଇଁ ନବଜାତ, ବୟସ୍କ ଓ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଘରୁ ବାହାରକୁ ନ ବାହାରିବାକୁ କୁହାଯାଇଛି ।