ଫେବୃଆରୀ ଆରମ୍ଭରୁ ଅସମ୍ଭାଳ ତାତି, ଆଗକୁ ବର୍ଷିବ ନିଆଁ
ଭୁବନେଶ୍ୱର: ୨୦୨୪କୁ ବଳିଯିବ ୨୦୨୫ର ତାତି । ଫେବୃଆରୀରୁ ଦେଖାଇଲାଣି ତାଉ । ୨୧ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ତାପମାତ୍ରା । ପ୍ରଥମ ସପ୍ତାହରେ ଭୁବନେଶ୍ବରର ତାପମାତ୍ରା ଛୁଇଁଲା ୩୪.୯ ଡିଗ୍ରୀ । ମାଘ ମାସରେ ଅସ୍ବାଭାବିକ ସ୍ଥିତି । ଆଗକୁ ଦିନ ସହ ଉଷ୍ଣ ହେବ ରାତି । ସାରା ରାଜ୍ୟରେ ଏବେ ପାରଦ ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ରୌଦ୍ର ତାପର ଅଧିକ ପ୍ରହାର । ଫେବୃଆରୀ ତୃତୀୟ ସପ୍ତାହ ବେଳକୁ ସ୍ବାଭାବିକ ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ହେବ ତାପମାତ୍ରା । ବର୍ତ୍ତମାନ କିଛି ସ୍ଥାନରେ ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାତି ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷ କରି ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର, ଗଜପତି ସମେତ ରାଜଧାନୀ ଭୁବନେଶ୍ବର ଏବଂ କଟକରେ ତାତି ଅହେତୁକ ଭାବରେ ବୃଦ୍ଧି ପାଇଛି ।
ଜାନୁଆରୀ ୨୭ରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି କୋରାପୁଟର ତାତି । ଏହାସହ ୧୯୭୩ ରୁ ୨୦୨୫ ମସିହା ମଧ୍ୟରେ ଭବାନୀପାଟଣାରେ ଜାନୁଆରି ୩୧ ତାରିଖ ଦିନ ଦ୍ବିତୀୟ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି । ଗତ ବର୍ଷ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ରାଜଧାନୀ ରେ ଲଗାତର ୧୬ ଦିନ ଧରି ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହେବା ସହ ଏକ ବିରଳ ରେକର୍ଡ ସ୍ଥାପନ ହୋଇଥିଲା | ହେଲେ ଚଳିତ ବର୍ଷ ଫେବୃଆରୀ ମାସର ଆଖିଦେଖାଇଲାଣି ଭୁବନେଶ୍ବରର ତାତି । ସେପଟେ ବର୍ତ୍ତମାନ ଉପକୂଳରେ ଦିନ ତାପମାତ୍ରା ସ୍ଵାଭାବିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ଅଧିକା ରହିଛି। ତାପମାତ୍ରା ବୃଦ୍ଧି ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଅନୁଭୁତ ହେବ । ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହିଡି ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା ଏବଂ ଗଞ୍ଜମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।