ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ; ୩୫ ଡିଗ୍ରୀ ଉପରେ ରହିଛି ୯ ସହରର ତାପମାତ୍ରା

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ସତ୍ୱେ ଲାଗି ରହିଛି ତାତିର ଅଘୋଷିତ କର୍ଫ୍ୟୁ। ଦିନ ସାଢେ ୧୧ସୁଦ୍ଧା ୪୦.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା । ସେହିପରି ୩୫ ଡିଗ୍ରୀ ଉପରେ ରହିଛି ୯ସହରର ତାପମାତ୍ରା। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ୪୦ଡିଗ୍ରୀ ଉପରେ ରହୁଛି ପାରଦ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଗରମ ଓ ଗୁଳୁଗୁଳିରେ ଘାଣ୍ଟି ହେଉଛନ୍ତି ଲୋକ।

ଆଜି ରାଜ୍ୟର ୧୯ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି ହୋଇଥିବା ବେଳେ ମଧ୍ୟାହ୍ନରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ରାଜଧାନୀ ଭୁବନେଶ୍ବରରେ ପ୍ରବଳ ଖରା ହୋଇଛି । ସକାଳ ସାଢେ ୮ସୁଦ୍ଧା ରାଜଧାନୀରେ ୩୧ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ କମିଥିଲେ ମଧ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଅପରାହ୍ନରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୯ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ।

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ସମ୍ଭାବନା ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।