ଆଗାମୀ ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଜଳୁଛି ରାଜଧାନୀ। ଦିନ ସାଢେ ଦୁଇଟା ସୁଦ୍ଧା ରାଜ୍ଯର ସବୁଠୁ ତତଲା ସହର ହୋଇଛି ଭୁବନେଶ୍ବର। ଭୁବନେଶ୍ବରରେ ୪୧.୨ ଡିଗ୍ରୀ ତାତି ରେକର୍ଡ ହୋଇଛି ।

ସେହିପରି ୪ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି। ଚାନ୍ଦବାଲିରେ ୪୧.୧ ଡିଗ୍ରୀ ପାରଦ ରେକର୍ଡ ହୋଇଥିବାବେଳେ ଝାରସୁଗୁଡାରେ ୪୧, ବାଲେଶ୍ୱରରେ ୪୦, ହୀରାକୁଦରେ ୩୯.୫, ସମ୍ବଲପୁରରେ ୩୯.୪, ରାଉରକେଲାରେ ୩୯.୨, କେନ୍ଦୁଝରରେ ୩୮.୯, ଗୋପାଳପୁରରେ ୩୫.୫, ପାରାଦୀପରେ ୩୫.୨ ଓ ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରଭାବରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହେବା ସହ ୧୭ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ ଡିଗ୍ରୀ ଯାଏଁ ତାପମାତ୍ରା ବଢିପାରେ।

ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷକରି ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବ। ଖରା ସମୟରେ ନିର୍ବାଚନ ପ୍ରଚାର ଓ ରାଲିଠୁ ଦୂରେଇ ରହିବାକୁ ଆଲର୍ଟ ଜାରି କରାଯାଇଛି। ସାଧାରଣ ଲୋକ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ଖରାର ପିକ ସମୟ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଚାଷୀମାନେ ପନିପରିବା ସହ ଗୃହପାଳିତ ପଶୁ ମାନଙ୍କୁ ଥଣ୍ଡା ସ୍ଥାନରେ ରଖିବା ଆବଶ୍ୟକ।