ଆଉ ୨ ଦିନ କାଳବୈଶାଖି, ୩୧ରୁ ଡରେଇବ ଡହ ଡହ ଖରା

1 min read
Heat wave alert Issued To Six District Of Odisha

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା । ୨୯ ତାରିଖରେ କାଳବୈଶାଖୀ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଏଥିସହ ୭ଟି ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଜଗତସିଂହପୁର, କନ୍ଧମାଳ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ କଟକକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ସେହିଭଳି ୩୦ ତାରିଖ ଲାଗି ପାଣିପାଗ ବିଭାଗ ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । କାଳବୈଶାଖୀ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି ।

୩୧ ତାରିଖରୁ ବହିବ ଝାଞ୍ଜି ପବନ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବ । ଏପ୍ରିଲ୍ ୨ ତାରିଖ ଯାଏ ୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି । ପ୍ରବଳ ଖରା ନେଇ ବଲାଙ୍ଗିର, ସୋନପୁର, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ସମୟରେ ବାହାରକୁ ଗଲେ ପାଣି ବୋତଲ ନେବା ସହ ମୁଣ୍ଡରେ ଓଦା କପଡ଼ା ବ୍ୟବହାର କରନ୍ତୁ ।

Leave a Reply