ନନ୍ଦନକାନନରେ ପ୍ରାଣୀଙ୍କ ପାଇଁ ତିଆରି ହେଉଛି ଚାଳ ଘର, ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିଲାବେଳେ ପ୍ରାଣୀଜଗତ ମଧ୍ୟ ଅସହ୍ୟ ତାତିରୁ ନିସ୍ତାର ପାଉନାହାନ୍ତି । ନନ୍ଦନକାନନରେ ପଶୁପକ୍ଷୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବାକୁ ନିଆଯାଇଛି ବିଭିନ୍ନ ପଦକ୍ଷେପ । ଅସହ୍ୟ ତାତିରୁ ସୁରକ୍ଷା ଦେବାକୁ ପ୍ରାଣୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଚାଳ ଛପର ଆବାସସ୍ଥଳୀ । ପଶୁପକ୍ଷୀଙ୍କ ଉପରେ ୧୨ ଘଣ୍ଟିଆ ଜଳ ସିଞ୍ଚନ କରାଯିବା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

କୃତ୍ରିମ ବର୍ଷାରେ ଭିଜୁଛି ଭାଲୁ । କିଏ ଗଛ ଉପରେ ଚଢି ମଜା ନେଉଛି ଆଉ କିଏ ଦେହକୁ ସମ୍ପୂର୍ଣ୍ଣ ଓଦା କରି ନିଜକୁ ଥଣ୍ଡା କରୁଛି । ଏପଟେ ଜଳ କ୍ରୀଡ଼ାରେ ଲାଗିଛନ୍ତି ହାତୀ । ପାଣି ଭିତରେ ଶୁଣ୍ଢ ହଲାଇ ଗାଧୋଇବାର ମଜା ନେଉଛନ୍ତି । ପକ୍ଷୀମାନେ ମଧ୍ୟ ସୁରକ୍ଷିତ ଥଣ୍ଡା ସ୍ଥାନରେ ଆସ୍ଥାନ ଜମାଇଛନ୍ତି । ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଚାରିଆଡ଼େ ତ୍ରାହି ତ୍ରାହି ଶୁଭୁଛି ।

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ନନ୍ଦନକାନନରେ ପ୍ରାଣୀଙ୍କ ସୁରକ୍ଷା ପାଇଁ ଏପରି ବ୍ୟବସ୍ଥା ଅବଲମ୍ବନ କରାଯାଇଛି । ପଶୁକ୍ଷୀମାନଙ୍କ ପାଇଁ ଚାଳଛପର ବାସସ୍ଥଳୀ ସହିତ ଥଣ୍ଡାପାଣିର ସୁବିଧା କରିଛନ୍ତି କର୍ତ୍ତୃପକ୍ଷ । ଖୁଆଡ଼ ଭିତରେ ପଶୁଙ୍କ ଉପରେ ଚାଲିଛି ଜଳସିଞ୍ଚନ । ପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ବସା କରାଯାଇଥିବାବେଳେ ଥଣ୍ଡା ପରିବେଶ ପାଇ ତୁପ୍ତ ହେଉଛନ୍ତି ପଶୁପକ୍ଷୀ ।

ପ୍ରାଣୀମାନଙ୍କ ଉପରେ ଜଳ ଛିଞ୍ଚନ ସହ ଖୁଆଡ଼ରେ ଗାଧୋଇବା ପାଇଁ ବ୍ୟବସ୍ଥା କରାଯାଇଛି । ବାଘ ଓ ସିଂହଙ୍କ ପାଇଁ ହୋଇଛି ଶୀତଳ ଛାୟା ଆବାସସ୍ଥଳୀ । ଯେଉଁଠାରେ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇଁ ବିଶ୍ରାମ ନେଉଛି ସିଂହ । ତାତିରୁ ଆଶ୍ବସ୍ତି ପାଇଁ ରାଜକୀୟ ଠାଣିରେ ଘୁରି ବୁଲୁଛି ମହାବଳ । ଏପଟକୁ ଟିକେ ନଜର ପକାନ୍ତୁ । ସ୍ବତନ୍ତ୍ର ବ୍ୟବସ୍ଥା ଦ୍ବାରା ଖୁସିରେ ଘୁରି ବୁଲୁଛନ୍ତି ବିଲୁଆ ଛୁଆ । ଖରା ଆରମ୍ଭରୁ ପ୍ରାଣୀଙ୍କ ସୁରକ୍ଷା ପାଇଁ ନନ୍ଦକାନନ କର୍ତ୍ତୃପକ୍ଷଙ୍କ ତତ୍ପରତାକୁ ଉଭୟ ପର୍ଯ୍ୟଟକ ଓ ପଶୁପ୍ରେମୀ ପ୍ରଶଂସା କରିଛନ୍ତି ।