ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଅଞ୍ଚଳ ପାଇଁ ହିଟ୍‌ଓ୍ୱେଭ୍ ସତର୍କତା

ଭୁବନେଶ୍ୱର: ସାରା ରାଜ୍ୟକୁ କଲବଲ କରୁଛି ତାତି । ଟାଣ ଖରା ସହ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ତାତି । ହିଟ୍ଓ୍ବେଭ୍ ନେଇ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳକୁ ସତର୍କତା ଜାରି କରାଯାଇଛି ।

ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି । ଆସନ୍ତାକାଲି ବଲାଙ୍ଗିର, ସୋନପୁର, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୨୯ ତାରିଖ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଶିଶୁ, ବୟସ୍କ ଏବଂ ରୋଗୀ ସିଧାସଳଖ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିଲେ ଅଂଶୁଘାତ ହେବା ଆଶଙ୍କା ରହିଛି । ତେଣୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆଜିଠୁ ୫ଦିନ ଯାଏଁ ସ୍କୁଲ ବନ୍ଦ ରହିବ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ  । ରାଜ୍ୟରେ ଲଗାତାର ବୃଦ୍ଧି ଘଟୁଥିବା ତାପମାତ୍ରା ଏବଂ  ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି , ସିବିଟି ଏଣ୍ଟ୍ରାନ୍ସରେ ଲାଞ୍ଚ ଅଭିଯୋଗ