spot_img

Latest Posts

ଏବେ କରୋନା ରୋଗୀଙ୍କୁ ଦିଆଯିବନି ଏସବୁ ମେଡିସିନ୍, ଜାରି ହେଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ଔଷଧକୁ ନେଇ ନୂଆ ନିୟମାବଳୀ ଆଣିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡାଇରେକ୍ଟାେରେଟ୍ ଜେନେରାଲ୍ ଅଫ୍ ହେଲଥ ସର୍ଭିସେସ୍ (ଡିଜିଏଚଏସ୍) । ସାମାନ୍ୟ ଲକ୍ଷଣ ବା ଲକ୍ଷଣ ନ ଥିବା କରୋନା ରୋଗୀଙ୍କୁ ହାଇଡ୍ରୋକ୍ଲୋରୋକ୍ବିନ୍, ଆଇଭରମେଜ୍ଟିନ, ଡକ୍ସିସାଇକ୍ଲିନ୍, ଜିଙ୍କ, ମଲ୍ଟିଭିଟାମିନ୍ ଆଦି ଦିଆଯିବନାହିଁ ବୋଲି କହିଛି ଡିଜିଏଚଏସ୍।

ଏହା ପୂର୍ବରୁ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏହିସବୁ ମେଡିସିନ୍ ବିପୁଳ ପରିମାଣରେ ବ୍ୟବହାର କରାଯାଉଥିଲା। ପୂର୍ବରୁ  ମେ ୨୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଏହି ନୂଆ ଗାଇଡଲାଇନ ଜାରିବା ସହ ମେଡିସିନ୍ ବ୍ୟବହାର ନେଇ ରୋକ୍ ଲଗାଇଥିଲେ ।

ଏକ ରିପୋର୍ଟ ଅନୁଯାୟୀ, ଯେଉଁ ରାେଗୀ ମାନଙ୍କର ଶରୀରରେ କରୋନା ସଂକ୍ରମଣର ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ରହିଛି, ସେମାନଙ୍କୁ ମେଡିସିନ୍ ଖାଇବାର କୌଣସି ଆବଶ୍ୟକତା ନାହିଁ । ସେମାନଙ୍କୁ କେବଳ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ । ଯଦି ଅନ୍ୟ କିଛି ରୋଗ ପାଇଁ ମେଡିସିନ୍ ଖାଉଛନ୍ତି ତାହେଲେ ସେହି ମେଡିସିନ୍ ଗୁଡିକ ସେମାନେ ଖାଇପାରିବେ । ଆବଶ୍ୟକ ସ୍ଥଳେ ରୋଗୀ ମାନଙ୍କୁ ଟେଲି କନସଲଟେନ୍ସ ଜରିଆରେ ପରାମର୍ଶ ଦିଆଯିବା ନେଇ ସୂଚନା ମିଳିଛି ।

ତେବେ ଜ୍ୱର ଆସିଲେ କେବଳ ଆଣ୍ଟିପାଇରେଟିକ୍ ବା ପାରାସିଟାମଲ୍ ଓ ଥଣ୍ଡା ହେଲେ ଆଣ୍ଟିଟ୍ୟୁସିଭ୍ ଦିଆଯିବ । ଏହାସହ ଅତି ଜରୁରୀ ନଥିଲେ ସିଟି ସ୍କାନ ମଧ୍ୟ ନକରିବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। କରୋନା ଆକ୍ରାନ୍ତମାନେ ସମସ୍ତ କଟକଣା ମାନିବା ସହ ସନ୍ତୁଳିତ ଆହାର ସେବନ କରିବାକୁ କୁହାଯାଇଛି ।

ଅତି ଗମ୍ଭୀର ରୋଗରେ ପୀଡ଼ିତ ବ୍ୟକ୍ତି ଯଦି ଲକ୍ଷଣହୀନ କରୋନା ଆକ୍ରାନ୍ତ ହୁଅନ୍ତି, ତାଙ୍କୁ ଔଷଧ ଖାଇବାର ଆବଶ୍ୟକତା ରହିଛି । ନଚେତ ଲକ୍ଷଣହୀନ କରୋନା ରୋଗୀ କୌଣସି ଔଷଧ ନ ଖାଇବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।

ଉଲ୍ଲେଖଯୋଗ୍ୟ,  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୦,୬୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ହଜାର ୪୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୯ହଜାର ୧୮୬ ପାର୍ କରିଛି । ଗୋଟିଏ ଦିନରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି ୧ ଲକ୍ଷ ୭୪ ହଜାର ୩୯୯ ଆକ୍ରାନ୍ତ। ନୂଆ ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫ ପାର୍ କରିଛି। ଏବେ ସୁଦ୍ଧା ସାରା ଦେଶରେ ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଲୋକଙ୍କୁ କରୋନା ଟିକା ଦିଆ ସରିଛି।

Latest Posts

Don't Miss