ଆପୋଲୋ ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଗ୍ରୀନ କରିଡରରେ ନିଆଗଲା ହସ୍ପିଟାଲ

1 min read

ଭୁବନେଶ୍ବର: ଝାରସୁଗୁଡ଼ାରୁ ଏୟାରଲିଫ୍ଟ ହୋଇ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଆପୋଲୋ ହସ୍ପିଟାଲକୁ ନିଆଗଲା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ । ଏଥିପାଇଁ ରାଜଧାନୀରେ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଥିଲା । ବିମାନ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡରରେ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହସ୍ପିଟାଲ ନେବା ପାଇଁ ଏୟାରପୋର୍ଟରୁ ଆପୋଲୋ ହସ୍ପିଟାଲ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା । କମିଶନରେଟ ପୋଲିସ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନେବାକୁ ଗ୍ରୀନ କରିଡର କରାଯିବା ସହ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଆପୋଲୋ ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରସ୍ତୁତ ହୋଇ ରହିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ସେବା ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ, ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିର ASI ଗୋପାଳକୃଷ୍ଣ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିଥିଲେ । ଫୁଲମାଳ ପିନ୍ଧାଇ ସ୍ବାଗତ କରିବା ପରେ ଗୋପାଳକୃଷ୍ଣ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଲାଇଥିଲେ । ବ୍ରଜରାଜନଗରର ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୁଳି ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଝାରସୁଗୁଡ଼ାରେ ଡିଏଚଏଚ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଥିଲା ।

ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଏମିତି ଘଟଣା ତାଙ୍କୁ ସ୍ତମ୍ଭୀଭୂତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆପୋଲ ହସ୍ପିଟାଲରେ ପହଞ୍ଚି ବ୍ୟବସ୍ଥା ତଦାରଖ କରିଥିଲେ ।