କରୋନା ଟିକା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ଓ ଗର୍ଭବତୀଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: କରୋନା ଭ୍ୟାକସିନ୍ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ପ୍ରସ୍ତୁତ ହୋଇଛି ଡାଟାବେସ । ସ୍ବାସ୍ଥ୍ୟକର୍ମୀ, ବୟସ୍କ ଓ ଗର୍ଭବତୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ । ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା କରି ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଟିକା ଆଗ କାହାକୁ ମିଳିବ, ସେନେଇ ଗତ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି ।

ଟିକା ଆସିଲେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଅଗ୍ରାଧିକାର ଦିଆଯିବ । ଏଥି ସହିତ ଗର୍ଭବତୀ ମହିଳା ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ ପ୍ରଥମେ ଟିକା ମିଳିବ। କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟିକା ମିଳିବାର ଆଶା ଉଜ୍ଜଳ ହୋଇଛି । ଟିକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟିକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏକ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍‌ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟିକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।

ସେହିପରି ଆସନ୍ତାବର୍ଷ ଫେବ୍ରୁଆରୀ ସୁଦ୍ଧା ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଅକ୍ସଫୋର୍ଡ କୋଭିଡ୍ ଭ୍ୟାକ୍‌ସିନ୍ । ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନେୱାଲା ଏନେଇ ସୂଚନା ଦେଇଛନ୍ତି । ସାଧାରଣ ଲୋକଙ୍କ ପାଇଁ ଅକ୍ସଫୋର୍ଡ ଟିକା ଏପ୍ରିଲ ସୁଦ୍ଧା ଉପଲବ୍ଧ ହେବ । ଟିକାର ମୂଲ୍ୟ ସର୍ବାଧିକ ହଜାରେ ଟଙ୍କା ରହିବ । ତେବେ ଏହା ଟେଷ୍ଟର ଅନ୍ତିମ ଫଳାଫଳ ଓ ନିୟାମକ ମଂଜୁରୀ ଉପରେ ନିର୍ଭର କରେ ।

୨୦୨୪ ସୁଦ୍ଧା ଦେଶରେ ସମସ୍ତଙ୍କୁ ଭ୍ୟାକସିନ୍ ମିଳିବ ବୋଲି ପୁନେୱାଲା କହିଛନ୍ତି । ସେପଟେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ହରିୟାଣାର ରୋହତକରୁ ଆଜିଠୁ ଆରମ୍ଭ ହେଉଛି । ଦୁଇଟି ପର୍ଯ୍ୟାୟରେ ୨ଶହ ସ୍ୱେଚ୍ଛାସେବୀଙ୍କୁ ଟିକାର ଡୋଜ୍ ଦିଆଯିବ । ସେମାନଙ୍କଠାରେ ଆଣ୍ଟିବଡିର ସ୍ଥିତି ନେଇ ଅନୁଧ୍ୟାନ କରାଯିବ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ଟିକା ପରୀକ୍ଷଣ ସଫଳ ହୋଇଛି । ଦେଶରେ ମୋଟ୍ ୨୫ହଜାରରୁ ଅଧିକ ଲୋକଙ୍କଠାରେ କୋଭାକ୍ସିନ୍ ଟ୍ରାଏଲ୍ ହେବ ।

Leave a Reply