ଦେଶରେ କୋଭିଡ ସ୍ଥିତି ନେଇ ସଂସଦରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ବିବୃତି

1 min read

ନୂଆଦିଲ୍ଲୀ: ଦେଶରେ କୋଭିଡ ସ୍ଥିତି ନେଇ ପାର୍ଲାମେଣ୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ବିବୃତି । ସେ ଲୋକସଭାରେ ଏହି ସମ୍ପର୍କରେ ବୟାନ ଦେଇ ଚୀନରୁ ବ୍ୟାପୁଥିବା କରୋନାର ନୂଆ ଭାରିଆଣ୍ଟ BF.7 ସହ ମୁକାବିଲା ପାଇଁ ତିନି ମନ୍ତ୍ର ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ଆମେ ବିଦେଶରୁ ଆସୁଥିବା ଲୋକଙ୍କ ଯାଞ୍ଚ କରିବାକୁ ହେବ, ମାକ୍ସ ଲଗାଇବାକୁ ହେବ ଏବଂ ଜିନୋମ ସିକ୍ୱୋସିଂ ଜରିଆରେ ଏହା ଜାଣିବାକୁ ହେବ ଯେ ନୂଆ ଭାରିଆଣ୍ଟ ଆସିଯାଇନି ତ । ସେ ଏହା ମଧ୍ୟ କହିଥିଲେ ଯେ ଭୟଭୀତ ହେବାର କୌଣସି କାରଣ ନାହିଁ ଏବଂ ଅନ୍ୟ ଦେଶ ମୁକାବିଲାରେ ଭାରତରେ ସ୍ଥିତି ଭଲ ଅଛି । ଲଗାତାର ଆମେ ନୂଆ ଭାରିଆଣ୍ଟ ଉପରେ ନଜର ରଖିଛୁ ଏବଂ ଏହାର ପ୍ରତିରୋଧ ପାଇଁ ଉଦ୍ୟମ ଚାଲିଛି ।

ବିମାନବନ୍ଦରଗୁଡିକରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି ରାଣ୍ଡମ ସାମ୍ପଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତ ଲୋକ ନମୁନା ଦେବେ । ପରେ ସେମାନଙ୍କ ଆରଟିପିସିଆର ଟେଷ୍ଟ ହେବ । ସେହିପରି କୋଭିଡ ପ୍ରୋଟକଲ ମାନିବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।  ସେହିପରି ପଜିଟିଭ କେସଗୁଡିକର ଜିନମ ସିକୁଏନସିଂ ଲାଗି ସମସ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ପ୍ରତି ସଚେତନତା ସୃଷ୍ଟି ସହ ଆଲର୍ଟ ରହିବା ଲାଗି ରାଜ୍ୟଗୁଡିକୁ କୁହାଯାଇଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ସେପଟେ ତୁରନ୍ତ କୋଭିଡ ନିୟମ ମାନିବା ଲାଗି ଦେଶବାସୀଙ୍କୁ ପରାମର୍ଶ ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।